‘ସାଉଥ ସୁନ୍ଦରୀ’ଙ୍କୁ ଗିରଫ କଲା ପୋଲିସ: ବିବାଦୀୟ ବୟାନ ଦେଇ ଥିଲେ ଚର୍ଚ୍ଚାରେ

ଓଡ଼ିଶା ଭାସ୍କର: ଦକ୍ଷିଣ ଭାରତୀୟ ସିନେ ଦୁନିଆର ସୁନ୍ଦରୀ ହିରୋଇନ୍ ଏବେ ପୋଲିସ କବଜାରେ । ବିବାଦୀୟ ବୟାନ ଦେବା ପରେ ବର୍ତ୍ତମାନ ପୋଲିସ ତାଙ୍କୁ ଗିରଫ କରିଛି । ତେଲୁଗୁ କମ୍ୟୁନିଟି ବିପକ୍ଷରେ ବୟାନ ଦେବା ପରେ ଏହାକୁ ନେଇ ଖୁବ ବିବାଦ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ଏହି ମାମଲାରେ ଗିରଫ କରିଛି । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କସ୍ତୁରୀ ଶଙ୍କରଙ୍କୁ ଚେନ୍ନାଇ ପୋଲିସ ଗିରଫ କରି ହାଜତକୁ ନେଇଥିବା ସୂଚନା ମିଳିଛି । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ରିପୋର୍ଟ ଅନୁସାରେ, ତେଲୁଗୁ କମ୍ୟୁନିଟି ବିରୋଧରେ ଏକ ବିବାଦୀୟ ବୟାନ ଦେଇଥିଲେ ସାଉଥ ସୁନ୍ଦରୀ କସ୍ତୁରୀ ଶଙ୍କର । ନଭେମ୍ବର ୩ ତାରିଖରେ ବ୍ରାହ୍ମଣଙ୍କ ସମର୍ଥନରେ ଏକ ବିରୋଧ ପ୍ରଦର୍ଶନସ୍ଥଳୀରେ ସମ୍ବୋଧନ କରିବାକୁ ପହଞ୍ଚିଥିଲେ କସ୍ତୁରୀ । ଏଠାରେ ସେ କହିଥିଲେ ଯେ, କିଛି ଦ୍ରବିଡ଼ ବିଚାରକ ବ୍ରାହ୍ମଣଙ୍କୁ ବାହାର ଲୋକ ବୋଲି କହୁଛନ୍ତି । ଯେଉଁମାନେ ବର୍ଷବର୍ଷ ପୂର୍ବରୁ ତତ୍କାଳୀନ ଶାସକମାନଙ୍କ ସେବା କରିବା ପାଇଁ ରାଜ୍ୟକୁ ଆସିଥିବା କିଛି ତେଲୁଗୁ ଭାଷୀ ଲୋକେ ବର୍ତ୍ତମାନ ତାମିଲ ହେବା ପାଇଁ ଦାବି କରୁଛନ୍ତି । କିନ୍ତୁ ତାମିଲ ବ୍ରାହ୍ମଣଙ୍କୁ ତାମିଲ ଭାବରେ ବିଚାର କରାଯାଉନାହିଁ । ତେବେ କସ୍ତୁରୀଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା ।

ତେବେ ଏହାପରେ କସ୍ତୁରୀ ନିଜ ବୟାନ ଫେରାଇ ନେଇଥିଲେ । କିନ୍ତୁ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ଏହାପରେ ଚେନ୍ନାଇ ପୋଲିସର ଏକ ଟିମ ହାଇଦ୍ରାବାଦରେ ଜଣେ ଫିଲ୍ମ ନିର୍ମାତାଙ୍କ ଘରୁ କସ୍ତୁରୀଙ୍କୁ ଗିରଫ କରିଛି । ତେବେ ତାଙ୍କୁ ଚେନ୍ନାଇ ଆଣି ମାଜିଷ୍ଟ୍ରେଟ ଅଦାଲତରେ ହାଜର କରାଯିବ ବୋଲି କହିଛି ପୋଲିସ । ତେବେ ଗିରଫ ପୂର୍ବରୁ କସ୍ତଚରୀ ଆଗୁଆ ଜାମିନ ପାଇଁ ଆବେଦନ ମଧ୍ୟ କରିଥିଲେ । କିନ୍ତୁ କୋର୍ଟ ଏହାକୁ କାରଜ କରିଛନ୍ତି ।

ଗତ ୧୪ ତାରିଖରେ ମାଡ୍ରାସ ଉଚ୍ଚ ନ୍ୟାୟାଳୟ ତାଙ୍କୁ ଏହି ମାମଲାରେ ଆଗୁଆ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ । ତେଲୁଗୁ ଭାଷାଭାଷୀ ଲୋକମାନଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିବାରୁ ଶନିବାର ତାମିଲନାଡ଼ୁ ପୋଲିସ କସ୍ତୁରୀଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି । ପ୍ରକାଶ ଯେ, ୧୯୯୧ରେ ତାମିଲ ଫିଲ୍ମ ‘ଆଥି ଭଗବାନ’ରୁ ଡେବ୍ୟୁ କରିଥିବା କସ୍ତୁରୀ ବହୁ ତାମିଲ, ମାଲୟାଲମ, ତେଲୁଗୁ ଏବଂ କନ୍ନଡ଼ ଫିଲ୍ମରେ ଅଭିନୟ କରିଛନ୍ତି ।