ନୂଆଦିଲ୍ଲୀ: ପ୍ରଦୂଷଣ କାରଣରୁ ବଦଳିଛି ଅଫିସ୍ ଟାଇମିଂ । ପ୍ରଦୂଷଣର ସ୍ଥିତି ଅସହ୍ୟ ହେବାରୁ ଏନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀ ମହାନଗର ନିଗମ (ଏମସିଡି) ଅଫିସ ସକାଳ ୮.୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟାରେ ସରିବ । ସେହିପରି ସରକାରୀ ଅଫିସ ସକାଳ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୩୦ରେ ସରିବ । ଆସନ୍ତା ବର୍ଷ ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଏହି ଆଦେଶ ଜାରି ରହିବ ବୋଲି ଦିଲ୍ଲୀ ସରକାରଙ୍କ ତରଫରୁ କୁହାଯାଇଛି ।
ସୂନାଯୋଗ୍ୟ ଯେ, ଦିଲ୍ଲୀରେ କ୍ରମାଗତ ଭାବେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ଇଣ୍ଡେକ୍ସ (ଏକ୍ୟୁଆଇ) ୪୯୩ରେ ରହିଥିଲା, ଯାହାକୁ କି ଚଳିତ ସିଜିନର ସବୁଠାରୁ ଖରାପ ସ୍ତରର ବାୟୁ ବୋଲି କୁହାଯାଉଛି । ସିପିସିବି ବୁଲେଟିନ ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି । ଦିଲ୍ଲୀର ୩୬ରୁ ୧୪ଟି ଷ୍ଟେସନରେ ଏକ୍ୟୁଆଇ ୪୯୯ ବା ୫୦୦ ରହିଛି । ସେହି ସ୍ଥାନଗୁଡ଼ିକ ମଧ୍ୟରେ ଇଣ୍ଡିଆ ଗେଟ, ଦ୍ୱାରକା, ସିରୀ ଫୋର୍ଟ, ପଞ୍ଜାବୀ ବାଗ, ନର୍ଥ କ୍ୟାମ୍ପସ, ରୋହିଣୀ ଆଦି ସାମିଲ ରହିଛି ।