ଖୋଜୁଛି ମାଟି, ଝୁରୁଛି ବାରବାଟୀ…. ଆଜି ଶେଷକୃତ୍ୟ, ରାଷ୍ଟ୍ରୀୟ ସମ୍ମାନରେ ବାହୁଡ଼ିବେ ସମୀର ଦେ’

ଓଡ଼ିଶା ଭାସ୍କର: ମାଟିର ଗର୍ବ ଆଉ ଗାଁର ପୁଅକୁ ହରାଇ କାନ୍ଦି ଉଠିଛି କଟକ ସହର । ଝୁରୁଛି ବାରବାଟୀର ଦୁର୍ଗ, ଡାକୁଛି ବାରବାଟୀ ଷ୍ଟାଡିୟମ୍, କିନ୍ତୁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ସମୀର ଆଜି ସ୍ମୃତିର ପୁସ୍ତକଟିଏ ପାଲଟି ଯାଇଛନ୍ତି । ଓଡ଼ିଶା ରାଜନୀତି ଆକାଶରୁ ଲିଭିଯାଇଛି ଆଉ ଏକ ଉଜ୍ଜ୍ୱଳ ତାରକା । ଆଖି ବୁଜିଛନ୍ତି ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ ନେତା ସମୀର ଦେ’ । ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସମୀର । ୧୯୫୭ ଜାନୁୟାରୀ ୧୦ ତାରିଖରେ ଉଦୟ ହୋଇଥିବା ଏହି ସୂର୍ଯ୍ୟ ନଭେମ୍ବର ୧୮ ତାରିଖ(୨୦୨୪)ରେ ଅସ୍ତ ହୋଇଛନ୍ତି । ଆଉ ଆଜି ପଞ୍ଚଭୂତରେ ଲୀନ ହେବେ ସମୀର ।

ଆଉ କିଛି ସମୟ, ବାସ୍ ତା’ ପରେ କଟକ ମାଟିର ପୁଅ ନିଜ ମାଟି ମା’ କୋଳରେ ବିଲୀନ ହୋଇଯିବ । କଟକ ମାଟି ମା’ କୋଳେଇ ନେବ ନିଜ ସୁଯୋଗ୍ୟ ସନ୍ତାନକୁ । ଆଜି ପଞ୍ଚଭୂତରେ ଲୀନ ହେବେ ସମୀର, କିନ୍ତୁ କଟକ ମାଟିରେ ଇତିହାସ ହୋଇ ରହିଯିବ ସମୀରଙ୍କ ଗର୍ବ ଆଉ ଗୌରବ । ବାରବାଟୀ ରାଜନୀତିରେ ସମୀର ଦେ’ କେବଳ ଜଣେ ରାଜନେତା ନୁହଁନ୍ତି, ସେ ହେଉଛନ୍ତି ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । କିନ୍ତୁ ଆଜି ଏହି ସମୀରଙ୍କ ଶେଷକୃତ୍ୟ ସହିତ ଏହି ଅଧ୍ୟାୟର ଅନ୍ତ ହେବା ଭଳି ମନେ ହେଉଛି । ଲୋକପ୍ରିୟ ଜନନେତା ଓ ଦୃଢ ସଂଗଠକ ଭାବରେ ସେ ପାଇଥିଲେ ନିଆରା ପରିଚୟ । ଏଭଳି ଜଣେ ବ୍ୟକ୍ତିତ୍ୱ ଏବଂ ପ୍ରଖ୍ୟାତ ରାଜନେତାଙ୍କ ହରାଇ ଶୋକସନ୍ତପ୍ତ ଓଡ଼ିଶା ରାଜନୀତି । ତେଣୁ ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଆଜି ଶେଷକୃତ୍ୟ କରାଯିବ ।

ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିବା ବେଳେ ଗତକାଲି ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସମୀର ଦେ’ । । ପ୍ରଥମେ କିଡନୀ ସମସ୍ୟା ପାଇଁ ସମୀର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ପରେ ତାଙ୍କର ଫୁସଫୁସରେ ମଧ୍ୟ ସଂକ୍ରମଣ ହୋଇଥିଲା । ଡାକ୍ତରଙ୍କ କହିବା ଅନୁସାରେ, ସେ ରକ୍ତଚାପ ଏବଂ ମଧୁମେହରେ ମଧ୍ୟ ପୀଡିତ ଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । କିନ୍ତୁ କିଛି ଦିନ ଭେଣ୍ଟିଲେଟରରେ ରହିବା ପରେ ନିଜ ଅତି ପ୍ରିୟର ମାଟି ମା’କୁ ଛାଡ଼ି ଚାଲି ଯାଇଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ।

କଟକ ରାଜନୀତିରେ ସେ ସତ୍ବପ୍ରବୃତ୍ତ ଭାବେ ଯୋଡି ହୋଇ ରହିଥିଲେ । କଟକର ବଡ ଦାୟିତ୍ବ ନେଇ ସଫଳତାର କାହାଣୀ ଲେଖିଥିଲେ ସମୀର । ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୯୯୫ ମସିହାରୁ ଲଗାତାର ୩ ଥରବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ କ୍ୟାବିନେଟରେ ଅର୍ବାନ୍ ଡେଭଲପମେଣ୍ଟ ମିନିଷ୍ଟର ଭାବରେ ଦାୟିତ୍ୱ ତୁଲାଇଥିଲେ ସମୀର ଦେ’ । ତେବେ ଗତକାଲି ୬୭ ବର୍ଷ ବୟସରେ ସମୀର ଇହଲୀଳା ତ୍ୟାଗ କରିଛନ୍ତି ।