ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ବର୍ଷାରେ ଭିଜିବ ଓଡିଶା । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । 23 ତାରିଖ ସୁଦ୍ଧା ଲଘୁଚାପ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା 21 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା କ୍ରମେ ଘନିଭୂତ ହୋଇ ଆସନ୍ତା 23 ତାରିଖରେ ଲଘୁଚାପର ରୂପ ନେବ । ତେବେ ଲଘୁଚାପର ରୂପ ନେବା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଲଘୁଚାପର ପ୍ରଭାବ କେଉଁ ପ୍ରକାରର ରହିଛି ସେନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ବଙ୍ଗୋରସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ସମସ୍ତଙ୍କ ମନରେ ବାତ୍ୟାକୁ ନେଇ ଭୟ ଘାରିଛି । କେବେ ଲଘୁଚାପ ଅବପାତର ରୂପ ନେବା ପରେ ଏହା ସ୍ପଷ୍ଟ ହୋଇପାରିବ ।
ରାଜ୍ୟର କିଛି ସ୍ଥାନରେ ତାପମାତ୍ରା 15 ଡିଗ୍ରୀ ତଳେ ରହୁଥିବା ବେଳେ ଅନେକ ସ୍ଥାନରେ ଶୀତର ଲହରୀ ଜାରି ରହିଛି । କେତେକ ସ୍ଥାନରେ କୁହୁଡି ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଛି । ଏହାରି ଭିତରେ ଲଘୁଚାପ ଖବର ସମସ୍ତଙ୍କୁ ଡରାଇଦେଇଛି । ବର୍ଷା ହେଲେ ଶୀତ ଆହୁରି ବଢିବା ନେଇ ଆକଳନ କରାଯାଉଛି ।