ଇଜରାଏଲ- ହମାସ ଯୁଦ୍ଧ ବନ୍ଦ ପାଇଁ UN ସୁରକ୍ଷା ପରିଷଦରେ ଉପସ୍ଥାପନ ହେବ ପ୍ରସ୍ତାବ, ଆମେରିକା ଦେବ ତ ସମର୍ଥନ?

ନୂଆଦିଲ୍ଲୀ– ଇଜରାଏଲ ଓ ହମାସ ଯୁଦ୍ଧକୁ ଏହା ଭିତରେ ୧୩ ମାସ ବିତିଛି । ଏହାରି ଭିତରେ ଗାଜାରୁ ଲକ୍ଷ ଲକ୍ଷ ଲୋକ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି, ପ୍ରାୟ ୪୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଯୁଦ୍ଧର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ସମସ୍ତେ ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ କରୁଥିବା ବେଳେ ଇଜରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ଏକା ଜିଦି, ହମାସକୁ ସମ୍ପୂର୍ଣ୍ଣ ନଷ୍ଟ ନ କରିବା ଯାଏଁ ଯୁଦ୍ଧ ବନ୍ଦ ହେବନାହିଁ ।

ଇଜରାଏଲର ଜିଦିକୁ ଦେଖି ୟୁଏନ ସୁରକ୍ଷା ପରିଷଦରେ ଏହି ସମ୍ବନ୍ଧରେ ପ୍ରସ୍ତାବ ଆସିବାକୁ ଯାଉଛି । ଏହି ପ୍ରସ୍ତାବକୁ ସୁରକ୍ଷା ପରିଷଦର ମନୋନିତ ୧୦ ସଦସ୍ୟ ରାଷ୍ଟ୍ର ଆଗକୁ ବଢାଉଛନ୍ତି, ଯାହାକୁ ଚୀନ ଓ ଋଷ ମଧ୍ୟ ସମର୍ଥନ କରିପାରନ୍ତି ବୋଲି କୁହାଯାଉଛି । ତେବେ ଚର୍ଚ୍ଚା ହେଉଛି କି, ଆମେରିକା ତାର ଭିଟୋ କ୍ଷମତା ବଲରେ ଏହାକୁ ରୋକିଦେବ । ଏହି ପ୍ରସ୍ତାବ ଆଜି ହିଁ ଉପସ୍ଥାପନ କରାଯିବାକୁ ଥିବା ବେଳେ ଆମେରିକା ଏହି ରାସ୍ତାରେ ପ୍ରତିବନ୍ଧକ ହେବା ଆଶଙ୍କା ରହିଛି ।

ପ୍ରସ୍ତାବକୁ ଆଲ୍ଜିରିଆ, ଇକ୍ୱାଡୋର, ଗୁୟାନା, ଜାପନ, ମାଲଟା, ମୋଜାମ୍ବିକ୍, ସାଉଥ କୋରିଆ, ସିଏରା ଲିୟୋନ, ସ୍ଲୁଭେନିଆ ଓ ସ୍ୱିଜରଲ୍ୟାଣ୍ଡର ସମର୍ଥନ ରହିଛି । ଏହି ଦେଶ ସମୂହ ସୁରକ୍ଷା ପରିଷଦକୁ ଯୁଦ୍ଧରେ ତକ୍ରାଳ ରୋକ ଲଗାଇ ଯୁଦ୍ଧ ବିରାମ ଘୋଷଣା କରିବାକୁ ଦାବି କରୁଛନ୍ତି । ତେବେ ଏହି ପ୍ରସ୍ତାବକୁ ନେଇ ସୁରକ୍ଷା ପରିଷଦ ସୂତ୍ରରୁ କୁହାଯାଇଛି କି, ଏହି ପ୍ରସ୍ତାବ ଆମେରିକା ବିରୋଧରେ ଯାଇପରେ । ଆମେରିକା ଶାନ୍ତି ପ୍ରସ୍ତାବ ସମର୍ଥନରେ ଥିବା ବେଳେ କିନ୍ତୁ ଇଜରାଏଲ ଉପରେ କୌଣସି ପ୍ରକାରର ଚାପକୁ ଗ୍ରହଣ କରିବ ନାହିଁ ।

ଏହାରି ଭିତରେ ନେତାନ୍ୟାହୁ ହମାସ ନିକଟରେ ପଣବନ୍ଦୀ ଥିବା ନିଜ ନାଗରିକଙ୍କୁ ବାହାର କରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରତି ବ୍ୟକ୍ତି ପିଛା ନେତାନ୍ୟାହୁ ସରକାର ୫ ମିଲିୟନ ଡଲାର ପୁରସ୍କାର ଦେବାକୁ କହିଛନ୍ତି ।