ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ସୁନା ଉତ୍ପାଦକ ଦେଶ ହେଉଛି ଚୀନ । ଏହାପରେ ଏବେ ଡ୍ରାଗନକୁ ମିଳିଯାଇଛି ସୁନା ଖଣି । ହୁନାନ ପ୍ରାନ୍ତ ଅଞ୍ଚଳରେ ଚୀନକୁ ଏକ ବିଶାଳ ସୁନାର ଭଣ୍ଡାର ମିଳିଛି । ହୁନାନ ଏକାଡେମୀ ଅଫ ଜିଓଲୋଜି ପିଙ୍ଗ ଜିଆଙ୍ଗ କାଉଣ୍ଟିରେ ସୁନାର ଚିହ୍ନଟ କରିଛି । ଶହ ଶହ ଟନ୍ ସୁନାରେ ଭର୍ତ୍ତି ହୋଇଛି ଏହି ଅଞ୍ଚଳ । ତେଣୁ ଏହାଦ୍ୱାରା ଚୀନ ସୁନା ଉତ୍ପାଦନ କ୍ଷେତ୍ରରେ ଆହୁରି ବିକାଶ କରିବ ବୋଲି ଆଶା କରାଯାଉଛି । ଏହି ସୁନା ଭଣ୍ଡାରରେ ଚୀନକୁ ପ୍ରାୟ ୮୨.୮ ବିଲିୟନ ଡଲାରର ସୁନା ମହଜୁଦ ଥିବା ଅନୁମାନ କରାଯାଉଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ରିପୋର୍ଟ ଅନୁସାରେ, ଚୀନର ହୁନାନ ପ୍ରେଭିନ୍ସର ମଧ୍ୟଭାଗରୁ ୮୨.୯ ବିଲିୟନ ଡଲାର ମୂଲ୍ୟ ଏକ ସୁନା ଭଣ୍ଡାର ମିଳିଛି । ଏହାର ଦାମ୍ ଚୀନ ମୁଦ୍ରା ଅନୁସାରେ ୬୦୦ ବିଲିୟନ ୟୁୟାନ ବା ୭ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ହୁନାନ ଏକାଡେମୀ ଅଫ ଜିଓଲୋଜି ପିଙ୍ଗଜିୟାଙ୍ଗ କାଉଣ୍ଟିରେ ୨୦୦୦ ମିଟରରୁ ଅଧିକ ଗଭୀରରେ ୪୦ରୁ ଅଧିକ ସ୍ୱର୍ଣ୍ଣ ଅୟସ୍କ ଶିରା(Gold Ore Veins) ଚିହ୍ନଟ କରିଛି । ଏଥିରେ ପ୍ରାୟ ୩୦୦.୨ ଟନ୍ ସୁନା ଏବଂ ୧୩୮ ଗ୍ରାମ ପ୍ରତି ମେଟ୍ରିକ ଟନ୍ ର ଉଚ୍ଚତମ ଗ୍ରେଡ ମିଳିଛି । ତେବେ ୩୦୦୦ରୁ ଅଧିକ ଗଭୀରରେ ୧୦୦୦ ଟନ୍ ରୁ ଅଧିନ ସୁପାର ଭଣ୍ଡାର ରହିଥିବା ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ୨୦୨୩ରେ ଗ୍ଲୋବାଲ ଗୋଲ୍ଡ ଉତ୍ପାଦନରେ ଚୀନର ଯୋଗଦାନ ପ୍ରାୟ ୧୦ ପ୍ରତିଶତ ରହିଥିଲା । ଏହାପରେ ମଧ୍ୟ ବୈଶ୍ୱିକ ସ୍ତରରେ ବଢୁଥିବା ରାଜନୈତିକ ସମସ୍ୟା ପରଠାରୁ ସର୍ବାଧିକ ସୁନା କିଣିଛି ଚୀନର ସେଣ୍ଟ୍ରାଲ ବ୍ୟାଙ୍କ । ତେବେ ଗତବର୍ଷ ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା ସୁନା କିଣିବା କ୍ଷେତ୍ରରେ ଆହୁରି ୨୦% ବୃଦ୍ଧି କରିଛି । ୨୦୨୪ ମସିହାର ପ୍ରଥମ ୩ ମାସରେ ୨୮୦ ଟନ୍ ସୁନା କିଣିଥିବା ବେଳେ ଚଳିତବର୍ଷ ମୋଟ ୮୫୦ ଟନ୍ ସୁନା କିଣିବ ବୋଲି ଆଶା କରାଯାଉଛି ।