ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦୁନିଆ ଡିଜିଟାଲ ହେଲାଣି । ଛୋଟରୁ ଛୋଟ କାମ ବି ଏବେ ହାତ ପାହାନ୍ତାରେ ହେଉଛି । ଏମିତି କି ଲୋକେ ଏବେ ନିଜ ବାହାଘର କାର୍ଡ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ପଠାଇ ଦିଆଯାଉଛି । ଅନଲାଇନରେ ସବୁ କାମ ହୋଇ ଯାଉଥିବାରୁ ବର୍ତ୍ତମାନ ସାଇବର କ୍ରାଇମ ମଧ୍ୟ ବୃଦ୍ଧି ପାଉଛି । ଲୋକଙ୍କୁ ଲୁଟିବା ପାଇଁ ଲୋକେ ଏବେ ନୂଆ ନୂଆ ଉପାୟ ଖୋଜି ବୁଲୁଛନ୍ତି । ବର୍ତ୍ତମାନ ହ୍ୱାଟ୍ସଆପରେ ଏଭଳି ବିବାହ କାର୍ଡ ଆସୁଛି, ଯାହା ସାଧାରଣ ଲୋକଙ୍କ ପାଇଁ ବେଶ୍ ବିପଦଜନକ ପାଲଟିପାରେ । ନିମିଷକ ମଧ୍ୟରେ ସାଇବର ଲୁଟେରା ଆପଣଙ୍କ ଆକାଉଣ୍ଟ ଖାଲି କରି ସବୁତକ ଟଙ୍କା ଲୁଟି ନେଇପାରନ୍ତି ।
ଟେଲିକମ୍ ବିଭାଗ ତରଫରୁ ଏକ ଆଡଭାଇଜରୀ ଜାରି ହୋଇଛି । ଅଜଣା ଫାଇଲ ଖୋଲିବା ପୂର୍ବରୁ ସାବଧାନ ରହିବାକୁ କହିଛି ଟେଲିକମ୍ ବିଭାଗ । ଏହି ସଫ୍ଟଓୟାର ମୋବାଇଲରେ ଡାଉନଲୋଡ ହୋଇପାରେ । ସ୍କାମ୍ କରୁଥିବା ଫର୍ଜି ଏପିକେ ଫାଇଲ ପଠାଯାଉଛି । ଏହି ଫାଇଲ ଡାଉନଳୋଡ ହେବା ମାତ୍ରେ ଠକାମୀର ଶିକାର ହୋଇପାରନ୍ତି ୟୁଜର । ତେବେ ସବୁଠାରୁ ବଡ଼ ସମସ୍ୟା ହେଉଛି, ଏହି ଏପିକେ ଫାଇଲ ଜରିଆରେ କୌଣସି ଓଟିପି ବିନା ୟୁଜରଙ୍କ ଆକାଉଣ୍ଟ ଖାଲି କରିପାରନ୍ତି ସାଇବର ଲୁଟେରା । ତେବେ ଏଭଳି ସମସ୍ୟା ପାଇଁ ୧୯୩୦କୁ କଲ୍ କରି ଅଭିଯୋଗ କରିପାରିବେ ବୋଲି କୁହାଯାଇଛି ।
ଏହାପରେ ଟେଲିକମ୍ କମ୍ପାନୀ କହିଛି ଯେ, ମୋବାଇଲରେ କୌଣସି ଏପିକେ ଫାଇଲ ଦେଖିଲେ, ତୁରନ୍ତ ସାବଧାନ ହୋଇଯାଆନ୍ତୁ । ପ୍ରକୃତ ବିବାହର ନିମନ୍ତ୍ରଣ ଭିଡିଓ କିମ୍ବା ପିଡିଏଫ ଫର୍ମାଟରେ ଆସିଥାଏ । ଏହା କେବେ ବି ଏପିକେ ଫାଇଲରେ ଆସି ନଥାଏ । ତେଣୁ ଯଦି ବିବାହ ନିମନ୍ତ୍ରଣ ଏପିକେ ଫାଇଲରେ ରହିଥାଏ, ତେବେ ସାବଧାନ ରୁହନ୍ତୁ । ଏହାଦ୍ୱାରା ଆପଣ ଠକାମୀର ଶିକାର ହୋଇପାରନ୍ତି ବୋଲି କୁହାଯାଇଛି । ଏପିକେ ବା ଆଣ୍ଡ୍ରଏଡ ପ୍ୟାକେଜ କିଟ୍ ରେ ଏକ ଆପ୍ଲିକେସନ କୋଡ ରହିଥାଏ । ତେବେ ଭୁଲରେ ଯଦି ଆପଣଙ୍କ ମୋବାଇଲରେ କୌଣସି ଏପିକେ ଫାଇଲ ଡାଉନଲୋଡ ହୋଇଥାଏ, ତେବେ ଏହାକୁ ତୁରନ୍ତ ମୋବାଇଲରୁ ହଟାଇ ଦିଅନ୍ତୁ ।