ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାଗା ମିଶନକୁ ନେଇ ରାଜ୍ୟ ସରକାର ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ଆଉ ଥରେ ଜାଗା ମିଶନ ସର୍ଭେ ଆରମ୍ଭ କରିବ ଗୃହ ଓ ନଗର ଉନ୍ନୟନ ବିଭାଗ । ବିଏମସିର ୧୭ଟି ଓ ସିଏମସିର ୨ଟି ବସ୍ତି ଯାଞ୍ଚ ହେବ । ଜାଗା ମିଶନରେ ବସ୍ତି ବାସିନ୍ଦା ପାଇଥିବା ଭୂମି ଅଧିକାର ପ୍ରମାଣପତ୍ର ପୁଣି ଥରେ ଯାଞ୍ଚ ହେବ । ଅଯୋଗ୍ୟ ହିତାଧିକାରୀ ଯଦି ଚଞ୍ଚକତା କରି ଜାଗା ହାତେଇଥିବେ, ତେବେ ସେମାନଙ୍କୁ ବାଦ୍ ଦିଆଯିବ ଓ ପ୍ରମାଣପତ୍ର ଛଡ଼ାଇ ନେବ ପ୍ରଶାସନ । ଅନ୍ୟପକ୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ଜାଗା ବଦଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-୨.୦ରେ ଘର ନିର୍ମାଣ କରି ଯୋଗାଇ ଦେବେ ।
ଅନେକ ଲୋକଙ୍କର ଗାଁରେ ଜମି ରହିଥିବା ବେଳେ ସହରରେ ବି ପ୍ଲଟ ରହିଛି । ମାତ୍ର ସେମାନେ ନିଜକୁ ଭୂମିହୀନ ଦର୍ଶାଇ ମାଡ଼ି ବସିଥିବା ସରକାରୀ ଜାଗାକୁ ଜାଗା ମିଶନରେ ଯୋଡ଼ି ଭୂମି ଅଧିକାର ପ୍ରମାଣପତ୍ର ନେଇଥିବା ଜଣାପଡ଼ିଛି । ଏପରି ଜଣେ କି ଦୁଇଜଣ ନୁହନ୍ତି, ଶହ ଶହ ଅଯୋଗ୍ୟ ହିତାଧିକାରୀ ସରକାରଙ୍କ ହାବୁଡ଼ରେ ପଡ଼ିଛନ୍ତି । ଯେଉଁମାନେ ପ୍ରକୃତରେ ଗରିବ ହୋଇଥିବେ, ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ।
ତେବେ ପରୀକ୍ଷାମୂଳକ ଭାବେ ପ୍ରଥମେ ୧୯ଟି ବସ୍ତିରି ନଗର ଉନ୍ନୟନ ବିଭାଗ ଏହି ସର୍ଭେ କାର୍ଯ୍ୟ ଆରମ୍ଭ କରିବ । ଏହି ବସ୍ତିରେ ଯଦି ଜାଗା ମିଶନର ଭୂମି ପ୍ରମାଣପତ୍ର ଫେରାଇ ଆଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ଯୋଗାଇ ଦେବାରେ ସଫଳ ହେବେ, ତେବେ ଆଗକୁ ରାଜ୍ୟର ସମସ୍ତ ପୌରାଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବ । ଯେଉଁ ବସ୍ତିରେ ଭୂମି ପ୍ରମାଣପତ୍ର ଦିଆଯାଇଛି, ସେଠାରେ ଘର ନିର୍ମାଣ କରି ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି । ସେହିପରି ଯେଉଁମାନେ ଜଙ୍ଗଲ ଜମି, ରେଲୱେ ଅଞ୍ଚଳରେ ବସ୍ତି କରିଛନ୍ତି, ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରି ସେଠାରେ ଘର ଯୋଗାଇ ଦିଆଯିବ ।