ଓଡ଼ିଶାର ରାଜ୍ୟପାଳଙ୍କ ବୋହୂ ଝାଡ଼ଖଣ୍ଡ ନିର୍ବାଚନରେ ବିଜୟୀ: ୪୨ ହଜାର ଭୋଟରେ ହାରିଲେ କଂଗ୍ରେସ ପ୍ରାର୍ଥୀ ଅଜୟ କୁମାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ରେଜଲ୍ଟ ପ୍ରକାଶ ପାଇଛି । ଏହା ମଧ୍ୟରେ ରାଜ୍ୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓ କଂଗ୍ରେସ ମେଣ୍ଟ ସଂଖ୍ୟାଗରିଷ୍ଠତା ହାସଲ କରି ସାରିଥିବା ବେଳେ ଆଉ କିଛି ଆସନରେ ଭୋଟ ଗଣତି ଚାଲିଛି । ତେବେ ଏଥର ପଡ଼ୋଶୀ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଓଡ଼ିଶାର ବିଜେପି ଓ କଂଗ୍ରେସ ପ୍ରାର୍ଥୀମାନେ ପ୍ରଚାର କରିଥିଲେ । ପ୍ରକୃତ କଥା ହେଉଛି, ଏଥର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା ଜାମସେଦପୁର-ଇଷ୍ଟ ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂୁ ପୂର୍ଣ୍ଣିମା ଦାସ ସାହୁ ବିଜେପି ତରଫରୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଥିଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏହି ଆସନର ଫଳାଫଳ ସହ ଓଡ଼ିଶା ଲିଙ୍କ ରହୁଥିବାରୁ ତା’ ଉପରେ ଓଡ଼ିଶାବାସୀଙ୍କ ନଜର ରହିଥିଲା ।

ତେବେ ଏହା ମଧ୍ୟରେ ଝାଡ଼ଖଣ୍ଡର ଜାମସେଦପୁର-ଇଷ୍ଟ ବିଧାନସଭା ନିର୍ବାଚନ ମଣ୍ଡଳୀର ଫଳାଫଳ ସାମ୍ନାକୁ ଆସିଛି । ବିଜେପି ପ୍ରାର୍ଥୀ ପୂର୍ଣ୍ଣିମା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଜୟଙ୍କୁ ୪୨,୮୭୧ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି । ପୂର୍ଣ୍ଣିମା ୧,୦୭,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଅଜୟ ୬୪,୩୨୦ ଖଣ୍ଡ ଭୋଟ ପାଇଥିଲେ । ଏହି ଆସନରୁ ମୋଟ ୨୪ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଥିଲେ । ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ନଭେମ୍ବର ୧୩ ଓ ୨୦ ତାରିଖରେ ଦୁଇଟି ପର୍ଯ୍ୟାୟରେ ଝାଡ଼ଖଣ୍ଡ ବିଧାନସଭା ପାଇଁ ମତଦାନ ଗ୍ରହଣ କରାଯାଇଥିଲା ।