ଭୁବନେଶ୍ବର: ଅପେକ୍ଷାର ଅନ୍ତ ଘଟିଲା । ଆକାଉଣ୍ଟରେ ଜମା ହେଲା 5 ହଜାର ଟଙ୍କା । ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଆକାଉଣ୍ଟକୁ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁନ୍ଦରଗଡ ଗସ୍ତରେ ଯାଇ ସୁଭଦ୍ରା ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିଛନ୍ତି । 20 ଲକ୍ଷ ହିତାଧିକାରୀ ଏହି ଟଙ୍କା ପାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ, ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ସାମିଲ ରହିଥିଲେ । ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ନିଜ ହାତରେ 10 ଜଣ ମହିଳାଙ୍କୁ କିସ୍ତି ପ୍ରଦାନ କରିଛନ୍ତି । ଉକ୍ତ ସମାବେଶରେ ଶହଶହ ମହିଳା ଉପସ୍ଥିତ ହୋଇଥିଲେ ।
ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଦେବା ପାଇଁ ସୁନ୍ଦରଗଡରେ ଭବ୍ୟ ଆୟୋଜନ କରାଯାଇଥିଲରା । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଅନେକ ମନ୍ତ୍ରୀ ଯୋଗ ଦେଇଥିଲେ । ତେବେ ଘୋଷଣା ମୁତାବକ ମହିଳାଙ୍କୁ ଟଙ୍କା ପ୍ରଦାନ କରାଯାଇଛି । କହିରଖୁଛୁ କି, ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟରେ 60 ଲକ୍ଷ 27 ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଠାଇଥିଲା । ଆଜି 20 ଲକ୍ଷ ମହିଳାଙ୍କୁ ସୁଭଦ୍ରାର 5 ହଜାର ଟଙ୍କା ପ୍ରଦାନ କରାଯାଇଛି । ଆଜିର ହିତାଧିକାରୀଙ୍କୁ ମିଶାଇଲେ ମୋଟ 80 ଲକ୍ଷରୁ ଅଧିକ ହିତାଧିକାରୀ ଏହା ଦ୍ବାରା ଉପକୃତ ହୋଇଛନ୍ତି । ତେବେ ବାଦ ପଡିଥିବା ମହିଳାଙ୍କୁ ଡିସେମ୍ବର ମାସରେ ଚତୁର୍ଥ ପର୍ଯାୟ ଟଙ୍କା ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଘୋଷଣା କରିଛନ୍ତି । ସୂଚନା ଅନୁସାରେ, ୫ ଲକ୍ଷ ଆବେଦନକାରୀଙ୍କୁ ଚଳିତଥର ଟଙ୍କା ମିଳିବ ନାହିଁ । ସେମାନଙ୍କୁ ଡିସେମ୍ୱର ମାସରେ ଟଙ୍କା ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଧାର, ଆକାଉଣ୍ଟ, ମୋବାଇଲ ନମ୍ବର ସଂଯୋଗ କରେଇବା ପରେ ଉକ୍ତ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ କରାଯିବ ।