(Video) ଏବେ ବି ବଞ୍ଚିଛି ମଣିଷପଣିଆ: ରାସ୍ତାରୁ ପାଇଥିବା ୧ ଲକ୍ଷ ଟଙ୍କା ଫେରାଇ ମହାନତାର ପରିଚୟ ଦେଲେ ରାଜଧାନୀର ଅଟୋ ଡ୍ରାଇଭର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମାଜରେ ମଣିଷ ଟଙ୍କା ମୋହରେ ବାୟା । ଅର୍ଥ ଲୋଭ ମଣିଷକୁ ଏତେ ଗ୍ରାସିଛି ଯେ, ମଣିଷ ଆଜି ନିଜର ରକ୍ତର ସମ୍ପର୍କକୁ ମଧ୍ୟ ମାରିବାକୁ ପଛାଉ ନାହିଁ । ତେବେ ଏଭଳି ସ୍ଥିତିରେ ବି ଆମ ସମାଜରେ ବଞ୍ଚିଛି ମଣିଷପଣିଆ । ମାନବତାର ଏକ ବଡ଼ ପ୍ରମାଣ ଦେଇଛନ୍ତି ଜଣେ ଅଟୋ ଡ୍ରାଇଭର । ସାଧାରଣ ଭାବେ ରାସ୍ତାରେ ଟଙ୍କାଟିଏ ପଡ଼ିଥିବା ବେଳେ ତାହାକୁ ଆମେ ଅତି ଖୁସିରେ ଉଠାଇ ନେଉଥିବା ବେଳେ ଏ କ୍ଷେତ୍ରରେ ଏହି ବିଶାଳ ହୃଦୟର ଅଧିକାରୀ ଅଟୋ ଡ୍ରାଇଭର ସାଜିଛନ୍ତି ବ୍ୟତିକ୍ରମ ।

ଖବର ମୁତାବକ, ରାଜଧାନୀ ଭୁବନେଶ୍ୱରରେ ଆଜି ଜଣେ ଅଟୋ ଡ୍ରାଇଭରଙ୍କୁ ନେଇ ଏକ ବଡ଼ ଚର୍ଚ୍ଚା ହେବାରେ ଲାଗିଛି । ଏହି ଅଟୋ ଡ୍ରାଇଭର ରାସ୍ତାରୁ ୧ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ପାଇଥିଲେ । ସେ ଚାହିଁଥିଲେ ତାହାକୁ ନିଜ ପାଖରେ ରଖିପାରିଥାନ୍ତେ । ମାତ୍ର ଯେଉଁ ଟଙ୍କାକୁ ସେ ନିଜେ ଝାଳ ବୁହାଇ ଉପାର୍ଜନ କରିନାହାନ୍ତି, ତାହାକୁ ସେ ରଖିଥାନ୍ତେ କିପରି? ପେଶାରେ ଜଣେ ଅଟୋ ଡ୍ରାଇଭର ହେଲେ ବି ଏପରି ଅର୍ଥ ସହ ବେଇମାନୀ କରିବାକୁ ତାଙ୍କର ହୃଦୟ ତାଙ୍କୁ ବାଧା ଦେଇଥିଲା ।

ଅଟୋ ଡ୍ରାଇଭର ଜଣଙ୍କ ନିଜର ମହାନତା ଦେଖାଇ ଏହି ଟଙ୍କାକୁ ତା’ର ମାଲିକଙ୍କ ପାଖରେ ପହଞ୍ଚାଇବା ପାଇଁ ପୋଲିସ ନିକଟରେ ପହଞ୍ଚିଥିଲେ । ଏହି ଅଟୋ ଡ୍ରାଇଭରଙ୍କ ନାମ ହେଉଛି ବାବୁଲା ମାଝୀ । ଟଙ୍କା ହଜିଥିବା ବ୍ୟକ୍ତି ଜଣଙ୍କ ତାଙ୍କର ଟଙ୍କା ଫେରି ପାଇବା ପରେ ବାବୁଲାଙ୍କୁ ଭଗବାନଙ୍କ ଆଖ୍ୟା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବେଗୁଡ଼ିଆ ନୂଆପଲ୍ଲୀ ଅଞ୍ଚଳର ସୁବୋଧ ବରାଳ ରାଜଧାନୀରେ ରହୁଥିବା ବେଳେ ସେ ତାଙ୍କର ଭଉଣୀଙ୍କ ଠାରୁ ୧ ଲକ୍ଷ ନେଇ ଗାଁକୁ ଫେରୁଥିଲେ । ତେବେ ଦୁର୍ଭାଗ୍ୟବଶତଃ ତାଙ୍କର ଟଙ୍କା ବ୍ୟାଗଟି ବାଟରେ ହଜି ଯାଇଥିଲା । ତେବେ ହଜିଥିବା ଟଙ୍କାକୁ ଆଜି ଉପଯୁକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବା ପରେ ବାବୁଲା ଯେଉଁ ଆତ୍ମସନ୍ତୋଷ ଲାଭ କରିଛନ୍ତି, ତା’ର ମୂଲ୍ୟକୁ ଟଙ୍କା ସହ ତୁଳନା କରିହେବ ନାହିଁ ।