ରାଜ୍ୟରେ ଆରମ୍ଭ ହେବ ‘Zoo Ambassador Programme’: ପରୀକ୍ଷା ମାଧ୍ୟମରେ ପ୍ରତି ସ୍କୁଲରୁ ଜଣକୁ ନନ୍ଦନକାନନ ଆମ୍ବାସଡର ଭାବେ ଚୟନ କରାଯିବ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀର ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ତରଫରୁ ଆରମ୍ଭ ହେବାକୁ ଯାଉଛି ଏକ ନୂଆ ପ୍ରୋଗ୍ରାମ । ‘ଜୁ ଆମ୍ବାସଡର ପ୍ରୋଗ୍ରାମ’ ଜରିଆରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନନ୍ଦନନକାନନ ଆମ୍ବାସଡର ଭାବେ ଚୟନ କରାଯିବ । ଏଥିପାଇଁ ଆସନ୍ତା ମାସରେ ପରୀକ୍ଷା କରାଯିବ । ପରୀକ୍ଷା ଜରିଆରେ ପ୍ରତି ସ୍କୁଲରୁ ଜଣେ ପିଲାକୁ ନନ୍ଦନକାନନ କର୍ତ୍ତୃପକ୍ଷ ଆମ୍ବାସଡର ଭାବେ ଚୟନ କରିବେ । ଏହି ସ୍ୱତନ୍ତ୍ର ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲ ପିଲାଙ୍କ ସହ ପ୍ରାଣୀ ଉଦ୍ୟାନ ଯୋଡ଼ି ହୋଇ ପାରିବ ।
ଏହି କାର୍ଯ୍ୟକ୍ରମ ପାଇଁ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଫିସ ତରଫରୁ ଏକ ନୋଟିଫିକେସନ ଜାରି କରାଯାଇଛି । ଏନେଇ ସମସ୍ତ ସରକାରୀ ସ୍କୁଲର ଶିକ୍ଷକ / ଶିକ୍ଷୟିତ୍ରୀ, ସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ, ଓଏଭିର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖାଯାଇଛି । ଏଥିପାଇଁ ଆବେଦନ କରିବାର ଅନ୍ତିମ ତାରିଖ ଆସନ୍ତା ୨୯ ତାରିଖ ରହିଛି । ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏଥିପାଇଁ ଆବେଦନ କରିପାରିବେ । ଡିସେମ୍ବର ମାସର ପ୍ରଥମ ସପ୍ତାହରେ ସମସ୍ତ ସ୍କୁଲମାନଙ୍କରେ ଏନେଇ ଏକ ପରୀକ୍ଷାର ଆୟୋଜନ କରାଯିବ । ପରୀକ୍ଷା ସରିବା ପରେ ସ୍କୁଲ କର୍ତ୍ତୃପକ୍ଷ ଉତ୍ତର ଖାତାଗୁଡ଼ିକୁ ସଙ୍ଗେସଙ୍ଗେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବେ । ପରୀକ୍ଷାରେ ଟପରେ ରହିଥିବା ପିଲାମାନଙ୍କୁ ‘ଜୁ ଆମ୍ବାସଡର’ ଭାବେ ଚୟନ କରାଯିବ ।
ଆବେଦନ କରିବାର ଲିଙ୍କ: https://www.nandankanan.org/Zoo-Ambassador-Programme.php