କସାବକୁ ଧରିବାରେ ୯ ବର୍ଷ ଝିଅର ଥିଲା ବଡ଼ ଭୂମିକା, ଏବେବି ୨୬/୧୧ ଆଟାକ୍ ଲାଗେ ଏକ ଦୁଃସ୍ୱପ୍ନ!

ନୂଆଦିଲ୍ଲୀ: ନଭେମ୍ବର ୨୬ , ୨୦୦୮ ମସିହା ମୁମ୍ବାଇ ଆଟାକକୁ କେହି କେବେ ଭୁଲି ପାରିବେ ନାହିଁ । କାରଣ ସେଦିନର ଭୟଙ୍କର ଚିତ୍ର ସବୁ ଏବେବି ମନରେ ବସାବାନ୍ଧି ରହିଛି । ଘଟଣାକୁ ମନେପକେଇଲେ ଲୋକଙ୍କ ଚିକ୍ରାର, ଯନ୍ତ୍ରଣା ବର୍ତ୍ତମାନ ବି ଆଖି ଆଗକୁ ଚାଲିଆସୁଛି । ଆତଙ୍କବାଦୀମାନେ କାହାରି ପାଇଁ ଦୟାଭାବ ଦେଖେଇ ନ ଥିଲେ । ସେମାନଙ୍କର ଗୋଟିଏ ମୂଳ ଉଦେ୍ଦଶ୍ୟ ଥିଲା, ଆତଙ୍କ ଖେଳାଇବା, ଆଉ ଯାହା ସେମାନେ କଲେ ମଧ୍ୟ । ଏ ସବୁ ଘଟଣାର ମୁକସାକ୍ଷୀ ପାଲଟିଥିଲା ଗୋଟିଏ କୁନି ଝିଅ । ଯେ ସେଦିନର ପ୍ରତିଟି ମୁହୂର୍ତ୍ତକୁ ଗୋଟି ଗୋଟି କରି ମନେରଖିଚି । ପାକିସ୍ତାନର ୧୦ ଆତଙ୍କବାଦୀ ମାୟାନଗରୀ ମୁମ୍ବାଇରେ ଭିଆଇ ଥିଲେ ଏକ ବଡ଼ ଧରଣର ଆତଙ୍କ । ଯାହା ଦୀର୍ଘ ୪ ଦିନ କାଳ ଚାଲିଥିଲା । ସାଉଥ୍ ମୁମ୍ବାଇର ପ୍ରମୁଖ ସ୍ଥାନଗୁଡ଼ିକ ସେମାନଙ୍କ ଟାର୍ଗେଟରେ ଥିଲା । ଆତଙ୍କବାଦୀଙ୍କ ସୂଚୀରେ ତାଜ୍ ମହଲ ପ୍ୟାଲେସ ହୋଟେଲ, ସବରୋଏ ଟ୍ରାଇଡେଣ୍ଟ ହୋଟେଲ, ଛତ୍ରପତି ଶିବାଜୀ ମହାରାଜ ଟିର୍ମିନସ୍ (ସିଏସଏମଟି) ଏବଂ ନାରିମନ ହାଉସ୍ ଥିଲା । ଏହି ଆତଙ୍କବାଦୀ ଆକ୍ରମଣରେ ୧୬୬ଜଣ ପ୍ରାଣ ହରାଇଥିଲେ । ଯେଉଁମାନଙ୍କ ଭିତରେ ଥିଲେ ୧୮ ସିକୁ୍ୟରିଟି ପର୍ସନେଲ । ଏହାଛଡ଼ା ଘଟଣାରେ ୩୦୦ ଲୋକ ଆହତ ହୋଇଥିଲେ । ଏ ସବୁ ଘଟଣାର ସାକ୍ଷୀ ଥିଲା ୯ ବର୍ଷର ଝିଅ ଦେବୀକା ରୋତାୱନ । ଆଜିକି ଦେବୀକା ସେଦିନର ଘଟଣାକୁ ପାସୋରିପାରି ନାହାନ୍ତି ।

ଘଟଣାଦିନ ଦେବୀକା ସିଏସଏମଟିରେ ତାଙ୍କ ଭାଇ ଓ ବାପାଙ୍କ ସହ ଥିଲେ । ସେଠାରୁ ସେମାନଙ୍କୁ ପୁଣେ ଯିବାର ଥିଲା । ଘଟଣାସ୍ଥଳରେ ହଠାତ୍ ବିସ୍ଫୋରଣ ଏବଂ ଗୁଳି ଫିଟିବାର ଶବ୍ଦ ଏକକାଳୀନ ଶୁଣାଯାଇଥିଲା । ଏଥିରେ ଦେବୀକାଙ୍କ ଗୋଡ଼ରେ ମଧ୍ୟ ଗୁଳିବାଜିଥିଲା । ସେଠାରୁ ତାଙ୍କ ଚିକିତ୍ସା ପାଇଁ ଜର୍ଜସ ହସ୍ପିଟାଳ ନିଆଯାଇଥିଲା । ଦେବୀକାଙ୍କୁ ଏବେ ୨୫ ବର୍ଷ । ହୁଏତ ତାଙ୍କ ଶରୀରରୁ ଗୁଳିର ଦାଗ ଲିଭି ସାରିଥିବ କିନ୍ତୁ ତାଙ୍କ ମନରୁ ଏ ପର୍ଯ୍ୟନ୍ତ ଲିଭିନି । ଦେବୀକା ଓ ତାଙ୍କ ବାପା ସ୍ପଷ୍ଟ ଭାବେ ଆଜମଲ କସାବକୁ ଦେଖିବା କାରଣରୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ସହ ମିଶି କସାବର ଚିହ୍ନଟ କରିଥିଲେ । ଏ ନେଇ ପ୍ରଶାସନିକ ସ୍ତରରେ ଦେବୀକାଙ୍କ ପରିବାରକୁ ସମସ୍ତ ପ୍ରକାର ସହଯୋଗ ଓ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ପ୍ରାରମ୍ଭିକ ସମୟରେ ଦେବୀକାଙ୍କୁ ସରକାରଙ୍କ ରତଫରୁ ୩.୨୬ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏହାପରେ ସେତେବେଳର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ତରଫରୁ ଚିକିତ୍ସା ବାବଦକୁ ତାଙ୍କୁ ୧୦ ଲକ୍ଷ ଟଙ୍କା ଦିଆଗଲା । ୨୦୦୮ ନଭେମ୍ବର ୨୬ ତାରିଖ ଖାଲି ଯେ ସାଧାରଣ ଲୋକଙ୍କ ପାଇଁ ଗୋଟିଏ କଳାଦିନ ଥିଲା ତା’ ନୁହେଁ, ଭାରତୀୟ ସେନା ପାଇଁ ଏକ ଚ୍ୟାଲେଞ୍ଜ ମଧ୍ୟ ଥିଲା । ୬୦ ଘଣ୍ଟା ଧରି ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଛକାପଞ୍ଝା ଚାଲିଥିଲା । ୯ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ । କସାବ ଗୋଟିଏ ମାତ୍ର ଆତଙ୍କବାଦୀ ଥିଲା ଯାହାକୁ ସୁରକ୍ଷାକର୍ମୀ ଜୀବୀତ ଧରିଥିଲେ । ପାକିସ୍ତାନର ଲସ୍କର ଇ ତୋଇବା ଆତଙ୍କବାଦୀ କସାବକୁ ୨୦୧୨ ନଭେମ୍ବର ୨୧ରେ ଫାଶୀ ଦିଆଯାଇଥିଲା ।