୧୬ ବର୍ଷରୁ କମ୍ ସୋସିଆଲ ମିଡିଆରେ ଖୋଲିପାରିବେନି ଆକାଉଣ୍ଟ ! ଏହି ଦେଶରେ ପାରିତ ହେଲା ବିଲ୍

ନୂଆଦିଲ୍ଲୀ: ଆଜିକାଲି ପ୍ରାୟ ସମସ୍ତଙ୍କ ପାଖରେ ସ୍ମାର୍ଟଫୋନ୍ । ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ । ସୋସିଆଲ ମିଡିଆରେ ବିିଭିନ୍ନ ପ୍ରକାର ଫଟୋ, ରୀଲ୍ସ ଏବଂ ଭିଡିଓ ଶେୟାର କରି ଲୋକପ୍ରିୟ ହେବା ଯେମିତି ଏକ ନିଶା ପାଲଟିଯାଇଛି । କହିବାକୁ ଗଲେ ସୋସିଆଲ ମିଡିଆ ବିନା ଦୈନନ୍ଦିନ ଜୀବନ ଏକ ପ୍ରକାର ଠପ୍ ହୋଇଯିବ । ପିଲାଙ୍କୁ ଅନଲାଇନ୍ ଦୁନିଆରୁ ବାହାର କରିବା ପାଇଁ ଅଭିଭାବକଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଯାଇଛି । ଏହି ପ୍ରସଙ୍ଗକୁ ନେଇ ଏହି ଦେଶରେ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆର ହାଉସ୍ ଅଫ୍ ରିପ୍ରେସେଣ୍ଟେଣ୍ଟିଭ୍ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଉଥିବା ଏକ ବିଲ୍ ପାରିତ କରିଛନ୍ତି । ବର୍ତ୍ତମାନ ଏହି ବିଲକୁ ଆଇନରେ ପରିବର୍ତ୍ତନ କରିବାର ନିଷ୍ପତ୍ତି ସନେଟ୍ ନେବେ । ଯଦି ଏହି ନିୟମ ଲାଗୁ ହୁଏ ତେବେ ଅଷ୍ଟ୍ରେଲିଆ ନିଷ୍ପତ୍ତି ନେବା ନେଇ ପ୍ରଥମ ଦେଶ ହେବ । ଅଷ୍ଟ୍ରେଲିଆର ହାଉସ୍ ଅଫ୍ ରିପ୍ରେସେଣ୍ଟେଣ୍ଟିଭରେ ଥିବା ପ୍ରମୁଖ ଦଳ ଏହି ବିଲର ସମର୍ଥନ କରିଥିଲେ । ଏହି ବିଲରେ କୁହାଯାଇଛି କି ୧୬ ବର୍ଷରୁ କମ୍ ପିଲାଙ୍କୁ ଆକାଉଣ୍ଟ ଖୋଲିବାରୁ ରୋକିବାରେ ବିଫଳ ହେଲେ ମୋଟା ଅଙ୍କର ଜରିମାନା ହେବାକୁ ପଡ଼ିବ । ଟିକଟକ୍‌, ଫେସବୁକ୍‌, ସ୍ନାପ୍‌ଚାଟ୍‌, ରେଡିଟ୍‌, ଇନଷ୍ଟାଗ୍ରାମ ଏବଂ ଏକ୍ସ ଭଳି ଅନ୍ୟାନ୍ୟ ପ୍ଲାଟଫର୍ମଙ୍କୁ ୫୦ ମିଲିୟନ ଅଷ୍ଟ୍ରେଲୀୟ ଡଲାର(୩୩ ମିଲିୟନ ଆମେରିକୀୟ ଡଲାର) ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ ।

ଅଷ୍ଟ୍ରେଲିଆ ହାଉସ୍ ଅଫ୍ ରିପ୍ରେସେଣ୍ଟେଣ୍ଟିଭରେ ଏହି ବିଲ୍ ପାରିତ ହେଲା ପରେ ଏହା ପକ୍ଷରେ ୧୦୨ ଏବଂ ବିପକ୍ଷରେ ୧୩ଟି ଭୋଟ୍ ମିଳିଥିଲା । ସିନେଟଙ୍କ ନିଷ୍ପତ୍ତି ପରେ ଚଳିତ ସପ୍ତାହରେ ଏହି ବିଲ୍ ଆଇନରେ ପରିବର୍ତ୍ତନ ହେଲେ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଖରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ପ୍ରତିବନ୍ଧକ ଲଗାଇବା ପ୍ରକ୍ରିୟା ପାଇଁ ଗୋଟିଏ ବର୍ଷର ସମୟ ଦିଆଯିବ । ଏହା ପରେ ସେମାନଙ୍କ ଉପରେ ଜରିମାନା ଲାଗୁ କରାଯିବ । ଏହା ବ୍ୟତୀତ ଦେଶରେ ୧୮ ବର୍ଷରୁ କମ୍ ପିଲାଙ୍କୁ ଇଣ୍ଟରନେଟରେ ବିଭିନ୍ନ ଅଶ୍ଳୀଳ ସାଇଟ୍ ଦେଖିବା ଉପରେ ରୋକ୍ ଲଗାଇବା ଦିଗରେ ପଦକ୍ଷେପ ନିଆଯାଉଛି । ନିକଟରେ ଅଷ୍ଟ୍ରେଲିଆର ଯୋଗାଯୋଗ ମନ୍ତ୍ରୀ ମିଶେଲ ରୋଲ୍ୟାଣ୍ଡ କହିଥିଲେ କି ୯୫% ଅଷ୍ଟ୍ରେଲୀୟ ଅଭିଭାବକ ପିଲାଙ୍କ ଲାଳନ ପାଳନ ଦିଗରେ ସୋସିଆଲ ମିଡିଆ ସୁରକ୍ଷାକୁ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖିଥାନ୍ତି ।