ସାମ୍ନାକୁ ଆସିଲା ୧୦ଟି ବଡ଼ କାରଣ! ଏହି ସମସ୍ତ କାରଣରୁ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ହେଉଛି ବିଳମ୍ବ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ବହୁମତ ହାସଲ କରିଥିଲେ ହେଁ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାରେ ବିଳମ୍ବ ହେବାରେ ଲାଗିଛି । ମେଣ୍ଟ ଦଳ ମଧ୍ୟରେ ବିଜେପି ସର୍ବାଧିକ ୧୩୨ଟି ଆସନ ଜିତିଥିବା ବେଳେ ସହଯୋଗୀ ଦଳ ଶିବସେନା (ଏକନାଥ ଶିନ୍ଦେ) ୫୭ଟି ଓ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏଜିତ ପାୱାର)କୁ ୪୧ଟି ଆସନ ମିଳିଥିଲା । ତେବେ ବିଜେପି ଏକାକୀ ବହୁମତ ପାଖାପାଖି ଆସନ ଜିତିଥିଲେ ହେଁ ନିଜ ଦଳର ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ପଛଘୁଞ୍ଚା ଦେଉଛି । ଏହା ପଛରେ ଅନେକ ବଡ଼ କାରଣ ରହିଛି । ତେଣୁ ବିଜେପି ମହାରାଷ୍ଟ୍ରରେ ଏଥର ବିହାର ଫର୍ମୂଲା ଲାଗୁ କରିପାରେ ବା ଜଣେ ନୂଆ ସିଏମଙ୍କୁ ଗାଦିରେ ବସାଇପାରେ ।

୧- ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏକନାଥଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଶିବସେନାକୁ କୁହାଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଶିନ୍ଦେଙ୍କ ସହ ଏପରି କୌଣସି ବୁଝାମଣା କରାଯାଇ ନଥିବା ଏନଡିଏର ସହଯାଗୀ ଓ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କରିଛନ୍ତି ।

୨- ମହାରାଷ୍ଟ୍ର ବିଜେପିରେ ଫଡନବିସ ଜଣେ ବଡ଼ ଚେହେରା ହୋଇଥିବା ବେଳେ ଦଳ ଏଥର ତାଙ୍କୁ ମୁଖ୍ୟ ଚେହେରା ଭାବେ ଉପସ୍ଥାପିତ କରିଥିଲା । ତେଣୁ ତାଙ୍କର ଅନେକ ସମର୍ଥକ ରହିଥିବାରୁ ଦଳ ତାଙ୍କୁ କଦାପି ଅଣଦେଖା କରିନପାରେ । ତେବେ ଜଣେ ନୂଆ ଚେହେରାଙ୍କୁ ସିଏମ୍ କଲେ ଦଳ ଅନେକ ସମସ୍ୟାରୁ ମୁକ୍ତି ପାଇପାରେ ବୋଲି ହାଇକମାଣ୍ଡ ବିଚାର କରୁଛନ୍ତି ।

୩- ଏକନାଥ ଜଣେ ମରାଠା ଚେହେରା ହୋଇଥିବାରୁ ତାଙ୍କ ସ୍ଥାନରେ ବିଜେପି ଅନ୍ୟ ଜଣେ ଓବିସି ପ୍ରାର୍ଥୀଙ୍କୁ ଆଗକୁ ଆଣିପରେ । ମାତ୍ର ଏହାଦ୍ୱାରା ମରାଠା ସମ୍ପ୍ରଦାୟ ମଧ୍ୟରେ ବିଜେପି ପ୍ରତି ଅସନ୍ତୋଷ ବଢ଼ିଯିବ ।

୪- ଏକନାଥ ଏକ ବଡ଼ ବର୍ଗରୁ ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କ ବଦଳରେ ଦଳ କାହାକୁ ବାଜି ଲଗାଇବ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ । ତାଙ୍କୁ ହଟାଇଲେ ଭବିଷ୍ୟତରେ କିଛି ସମସ୍ୟା ସୃଷ୍ଟି ହେବା ନେଇ ଦଳର ଶୀର୍ଷ ନେତୃତ୍ୱ ଆଶଙ୍କା କରୁଛି ।

୫- ବିହାରରେ ବିଜେପି ବଡ଼ ପାର୍ଟି ହୋଇଥିଲେ ବି ଜେଡିୟୁର ନୀତିଶ କୁମାର ସିଏମ୍ ଅଛନ୍ତି । ତେଣୁ ଏଥର ନିର୍ବାଚନ ଅଘୋଷିତ ଭାବେ ଏକନାଥଙ୍କ ଚେହେରାକୁ ଆଗକୁ ଆଣି ଲଢ଼ାଯାଇଥିଲା । ସେଥିପାଇଁ ଏକନାଥ ହିଁ ସିଏମ୍ ହେବା ଜରୁରୀ ବୋଲି ଶିବସେନା ପକ୍ଷରୁ ଦାବି କରାଯାଉଛି ।

୬- ୨୦୧୯ ଓ ୨୦୨୨ରେ ବିଜେପି ବଡ଼ ପାର୍ଟି ଥିଲେ ବି କ୍ଷମତାକୁ ଆସିବାକୁ ବୁଝାମଣା କରିବାକୁ ପଡ଼ିଥିଲା । ଏପରିକି ଦଳର ବଡ଼ ନେତା ଫଡ଼ନବିସଙ୍କୁ ମଧ୍ୟ ଦଳକୁ ପଛକୁ ଆଣିବାକୁ ପଡ଼ିଥିଲା । ତେଣୁ ଦଳକୁ ନେଇ ଜନତାଙ୍କ ଭିତରେ ଯେପରି ଭୁଲ ସନ୍ଦେଶ ନଯାଏ, ତା’ ଉପରେ ଦଳ ଯଥେଷ୍ଟ ତର୍ଜମା କରୁଛି ।

୭- ରାଜ୍ୟରେ ଦୁଇ ବର୍ଷର ପୂର୍ବର ସ୍ଥିତି ଓ ବର୍ତ୍ତମାନର ସ୍ଥିତି ଅଲଗା ରହିଛି । ଏକନାଥ ଓ ଅଜିତ ଏବେ ବିଜେପିର ସହଯୋଗୀ ହୋଇଥିବାରୁ ଏହି ଦୁଇ ବଡ଼ ନେତାଙ୍କୁ ଦଳ କିପରି ଥଇଥାନ କରି ସନ୍ତୁଷ୍ଟ କରିବ ତାହା ଏକ ବଡ଼ ପ୍ରଶ୍ନ । କୌଣସି ପରିସ୍ଥିତିରେ ବି ବିଜେପି ଅଯଥାରେ ବିବାଦ ସୃଷ୍ଟି କରିବାକୁ ଚାହୁଁନାହିଁ ।

୮- ରାଜ୍ୟରେ ମରାଠା ବନାମ ଓବିସି ସଂରକ୍ଷଣ ଚାଲିଥିବା ବେଳେ ତା’ର କମାଣ ଧରିଥିଲେ ଏକନାଥ ଓ ଫଡନବିସ । ନିର୍ବାଚନ ପୂର୍ବରୁ ମେଣ୍ଟ ପାଇଁ ଏହି ଆନ୍ଦୋଳନ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ବେଳେ ବିଧାନସଭା ନିର୍ବାଚନରେ ମରାଠା ସମ୍ପ୍ରଦାୟ ଏନଡିଏକୁ ପ୍ରବଳ ସମର୍ଥନ ଦେଇଥିଲେ । ତେଣୁ ଏକନାଥଙ୍କୁ ଅଣଦେଖା କରିବା ବଡ଼ ଭୁଲ୍ ହେବ ।

୯- ୨୦୧୯ରେ ବିଜେପି ସବୁଠାରୁ ବଡ଼ ପାର୍ଟି ହୋଇଥିଲେ ହେଁ ଉଦ୍ଧବ ଠାକରେଙ୍କ ସାଥ ଛାଡ଼ିବା ପରେ କ୍ଷମତାକୁ ଫେରି ପାରିନଥିଲା । ମାତ୍ର ଅଢ଼େଇ ବର୍ଷ ପରେ ଏକନାଥଙ୍କ କାରଣରୁ ମହାରାଷ୍ଟ୍ରରେ ବିଜେପି ୨୦୨୨ରେ ସରକାର ଗଠନ କରିପାରିଥିଲା ।

୧୦- ରାଜ୍ୟ ରାଜନୀତିରେ ମରାଠା ସମ୍ପ୍ରଦାୟର ବେଶ୍ ଦବଦବ୍ ରହିଆସିଛି । ବର୍ତ୍ତମାନ ସୁଦ୍ଧା ୧୮ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୧୦ ଜଣ ଏହି ସମ୍ପ୍ରଦାୟର । ସେହିପରି ରାଜ୍ୟର ମୋଟ ୨୮୮ଟି ବିଧାନସଭା ଆସନ ମଧ୍ୟରୁ ୧୫୦ରୁ ଅଧିକ ଆସନ ଓ ୪୮ଟି ଲୋକସଭା ଆସନ ମଧ୍ୟରୁ ୨୫ ଆସନରେ ମରାଠା ସ୍ଥିତି ମଜବୁତ ରହିଛି । ତେଣୁ ଏକନାଥଙ୍କୁ ସାଇଡ୍ କରିବା ଏତେ ସହଜ ହେବ ନାହିଁ ।