ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କଲେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ପାରମ୍ପରିକ ଶାଢ଼ିରେ ଆସିଲେ ନଜର

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ୱାୟନାଡ୍ ସାଂସଦ ଭାବେ ତାଙ୍କ ଇନିଂସ ଆରମ୍ଭ ହୋଇଛି । ସଂସଦ ଭବନରେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ୱାୟନାଡ୍ ଆସନରୁ ବିଜୟୀ ହୋଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ହାତରେ ସମ୍ବିଧାନର ଏକ କପି ଧରି ହିନ୍ଦୀ ଭାଷାରେ ଶପଥ ଗ୍ରହଣ କରିଥିଲେ । ଶପଥ ଗ୍ରହଣ ଉତ୍ସବରେ ସେ କେରଳର ପାରମ୍ପରିକ କସଭୁ ପାଟ ଶାଢ଼ି ପିନ୍ଧିଥିଲେ । ଧଳା ପାଟ ଶାଢ଼ିରେ ସୁନେଲି ବର୍ଡ଼ର ବିଶେଷ କରି ମାଲାୟାଲମ ସଂସ୍କୃତିକୁ ବଖାଣୁଥିଲା । ଲୋକସଭା ଗ୍ୟାଲେରୀରେ ତାଙ୍କ ସହ ସ୍ୱାମୀ ରବଟ୍ ଭଦ୍ରା, ମା’ ସୋନିଆ ଗାନ୍ଧୀ ଏବଂ ଭାଇ ରାହୁଲ ଗାନ୍ଧୀ ଉପସ୍ଥିତି ଥିଲେ । କେରଳର ୱାୟନାଡ୍ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ନିର୍ବାଚିତ ହୋଇଥିଲେ । ଏହି ଆସନରୁ ପ୍ରଥମେ ରାହୁଲ ଗାନ୍ଧୀ ନିର୍ବାଚିତ ହୋଇଥିଲେ । କିନ୍ତୁ ରାୟବରେଲି ଏବଂ ୱାୟନାଡ ଦୁଇଟି ଆସନରୁ ସେ ବିଜୟୀ ହୋଇଥିଲେ । ଏହା ପରେ ସେ ୱାୟନାଡ୍ ଆସନ ଛାଡ଼ିଥିଲେ । କହିରଖୁଛୁ ପ୍ରିୟଙ୍କା ଗାନ୍ଧୀ ଦୀର୍ଘ ସମୟ ଧରି କଂଗ୍ରେସ ଦଳର ଷ୍ଟାର ପ୍ରଚାରକ ଏବଂ ମହାସଚିବ ଭାବେ ଦାୟିତ୍ୱ ତୁଲାଇଛନ୍ତି । ବର୍ତ୍ତମାନ ସଂସଦୀୟ ରାଜନୀତିରେ ତାଙ୍କର ଏଣ୍ଟ୍ରି ହୋଇଛି । ସଂସଦରେ ତାଙ୍କ ଉପସ୍ଥିତିରୁ ବିରୋଧୀଙ୍କୁ ଶକ୍ତି ମିଳିବ ବୋଲି ଆଶା କରାଯାଉଛି ।