ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ଯୋଜନା ବୋର୍ଡ ପୁନର୍ଗଠନ ହେବ! ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ବିଧାନସଭାର ଶୀତକାଳୀନ ଅଧିବେଶନର ତୃତୀୟ ଦିନରେ ବିଭିନ୍ନ ପ୍ରସଙ୍ଗରେ ଗୃହ ସରଗରମ୍ ରହିଥିଲା । ଶୀତ ଅଧିବେଶନର ପ୍ରଥମ ଦିନ ହୋହାଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ବିତିଥିବା ବେଳେ ଦ୍ୱିତୀୟ ଦିନ ଗୃହର ସ୍ଥିତି ସ୍ୱାଭାବିକ ରହିଥିଲା । ତେବେ ତୃତୀୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ରଖିଥିଲେ । ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ପୁନର୍ଗଠନ ହେବ ଯୋଜନା ବୋର୍ଡ । ଯୋଜନା ବୋର୍ଡର ପୁନର୍ଗଠନ ପାଇଁ ର୍ୟା ସରକାର ବିଶେଷଜ୍ଞଙ୍କ ସହିତ ଆଲୋଚନା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ଗତ ୨୪ ବର୍ଷ ମଧ୍ୟରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡର ବୈଠକ ମାସ ଦୁଇଥର ବସିଛି । ଶେଷ ଥର ପାଇଁ ଗତ ୨୦୦୩ ମସିହା ମେ ମାସରେ ପ୍ରଥମ ଥର ଏହି ବୈଠକ ବସିଥିବା ବେଳେ ୨୦୦୭ ମସିହା ଅକ୍ଟୋବର ମାସରେ ଦ୍ୱିତୀୟ ଥର ବସିଥିଲା । ତେଣୁ ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ ଗୋଟିଏ ଯୋଜନା ବୋର୍ଡର ପୁନର୍ଗଠନ ପାଇଁ ସରକାର ଚିନ୍ତା କରୁଥିବା ମୁଖ୍ୟମନ୍ତ୍ରୀ କହିଥିଲେ । ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଗୃହରେ ଏହି ପ୍ରଶ୍ନ କରିଥିଲେ । ନୀତି ଆୟୋଗ ଢାଞ୍ଚାରେ ରାଜ୍ୟରେ କେବେ ଯୋଜନା ବୋର୍ଡର ପୁନର୍ଗଠନ ହେବ ଓ ଏନେଇ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଇଥିଲେ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଥିଲେ । ବିଧାୟକଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଥିଲେ ମୁଖ୍ୟମନ୍ତ୍ରୀ ।