ଫ୍ଲପ୍ ହିରୋ, ବଲିଉଡରେ ‘ବୟକଟ୍‌’ର ଶିକାର ହୋଇଥିଲେ… ଆଜି ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ ତାଙ୍କ ନାମ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ରାତା ରାତି କେହି ଷ୍ଟାର ହୋଇଯାଇ ନଥାନ୍ତି । ଏଠି ସଫଳତା ପାଇବା ପାଇଁ ଅନେକ କଳାକାରଙ୍କୁ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥାଏ । ବଲିଉଡରୁ ‘ବୟକଟ୍‌’ ପରେ ଏହି ଅଭିନେତା ଲାଇମଲାଇଟରୁ ଦୂରେଇଯାଇଥିଲେ କିନ୍ତୁ ହାର୍ ମାନି ନଥିଲେ । ପୂର୍ବତନ ବିଶ୍ୱ ସୁନ୍ଦରୀଙ୍କ ପ୍ରେମରେ ଉବୁଡୁବୁ ହେଉଥିଲେ ଏହି ଅଭିନେତା ଜଣଙ୍କ । ସେ ଆଉ କେହି ନୁହଁନ୍ତି ବରଂ ବିବେକ ଓବରାଇ ।

୨୦୦୨ରେ ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ‘କମ୍ପାନୀ’ ଫିଲ୍ମରୁ ବିବେକ ଓବରାଇ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସାଥିଆ, ମସ୍ତି ଏବଂ ଓମକାରା ଭଳି ହିଟ୍ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଥିଲେ । ଏହା ପରେ ବିବେକଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିଲା । ସେ ଇଣ୍ଡଷ୍ଟ୍ରିରେ ରାଜ୍ କରିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତାଙ୍କ କ୍ୟାରିୟରକୁ ଯେମିତି ଗ୍ରହଣ ଲାଗିଯାଇଥିଲା । ଐଶ୍ୱର୍ଯ୍ୟାଙ୍କ ସହ ବିବେକଙ୍କ ରିଲେସନସିପକୁ ସଲମାନ ତାଙ୍କୁ ଟାର୍ଗେଟ କରିଥିଲେ । ସଲମାନଙ୍କ ବିରୋଧ ଯୋଗୁଁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ବିବେକଙ୍କ ବିରୋଧୀ ହୋଇଯାଇଥିଲା । ଏହା ତାଙ୍କ କ୍ୟାରିୟରକୁ ବହୁତ ପ୍ରଭାବିତ କରିଥିଲା । ବଲିଉଡରୁ ବୟକଟ୍ ହେବା ପରେ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । କିନ୍ତୁ ଏଥିରେ ସେ ଭାଙ୍ଗି ପଡ଼ିନଥିଲେ । ଅନେକ ତେଲୁଗୁ ଏବଂ ମଲୟାଲମ ଫିଲ୍ମରେ ନିଜ ଜଲୱା ଦେଖାଇଲେ । ଏହା ବାଦ୍ ‘ଇନସାଇଡ୍ ଏଜ୍‌’ ଭଳି ୱେବ୍ ସିରିଜରେ ନଜର ଆସିଥିଲେ । କୁର୍ବାନ, କ୍ରିଷ୍ ୩, ଗ୍ରାଣ୍ଡ୍ ମସ୍ତି, ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି, ନରେନ୍ଦ୍ର ମୋଦୀ, ବ୍ୟାଙ୍କ ଚୋର୍‌, ଶୁଟ୍‌ଆଉଟ୍ ଆଟ୍ ଲୋଖଣ୍ଡୱାଲା ଆଦି ଅନ୍ୟାନ୍ୟ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇଛନ୍ତି ।

ବିବେକ ଓବରାଇ କେବଳ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୁହେଁ ବରଂ ବ୍ୟବସାୟ ଦୁନିଆରେ ମଧ୍ୟ ବେଶ ଲୋକପ୍ରିୟ । ସେ ‘କର୍ମା ଇନଫ୍ରଷ୍ଟ୍ରକ୍‌ଚର’ ନାମକ ରିୟଲ ଇଷ୍ଟେଟ୍ କମ୍ପାନୀ ଏବଂ ‘ମେଗା ଏଣ୍ଟରଟେନମେଣ୍ଟ’ ନାମକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ପ୍ରତିଷ୍ଠା କରିଛନ୍ତି । ଏହା ବ୍ୟତୀତ ରାସ୍ ଅଲ୍ ଖୈମା(Ras Al Khaimah) ସ୍ଥିତ ୨୩୦୦ କୋଟି ଟଙ୍କା ପ୍ରକଳ୍ପ ‘ଆକ୍ୱା ଆର୍କ’ର ସେ ପ୍ରତିଷ୍ଠାତା । ସେ ଅନେକ ଷ୍ଟାର୍ଟଅପ୍ କମ୍ପାନୀରେ ମଧ୍ୟ ନିବେଶ କରିଛନ୍ତି । ବର୍ତ୍ତମାନ ସେ ଭାରତର ସବୁଠାରୁ ଧନୀ ଅଭିନେତାଙ୍କ ମଧ୍ୟରୁ ଅନ୍ୟତମ । ରିପୋର୍ଟ ଅନୁଯାୟୀ ତାଙ୍କ ପାଖରେ ମୋଟ୍ ୧୨୦୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏଥିମଧ୍ୟରୁ ବିଳାସପୂର୍ଣ୍ଣ ବଙ୍ଗଳା ସହ ରୋଲ୍ସ ରୟସ୍‌, ଲାମ୍ବୋର୍ଗିନୀ ଭଳି ଦାମୀ କାର କଲେକ୍ସନ ରହିଛି ।
ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବେକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା କିନ୍ତୁ ସେ ହାର ମାନିନଥିଲେ । ନୂତନ ଜୋଶ ଏବଂ ଉତ୍ସାହ ସହ ବ୍ୟବସାୟର ପନ୍ଥା ଆପଣାଇଥିଲେ । ଆଜି ସେ ସଫଳତାର ନୂତନ ଶୀର୍ଷରେ ପହଞ୍ଚିଛନ୍ତି ଏବଂ ବ୍ୟବସାୟ କ୍ଷେତ୍ରରେ ବେଶ ଲୋକପ୍ରିୟ ।