ପୁଣି ଡିସେମ୍ବର ୫ ପର୍ଯ୍ୟନ୍ତ ବଢ଼ିଲା ଯୁକ୍ତଦୁଇ ଫର୍ମ ପୂରଣ ଅବଧି: CHSE ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ଫେବୃଆରୀ ମାସ ୧୮ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ଯୁକ୍ତଦୁଇ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା, ପତ୍ର ବିନିମୟ ପାଠ୍ୟକ୍ରମର ନିୟମିତ ଓ ପୂର୍ବ ନିୟମିତ (ଏକ୍ସ-ରେଗୁଲାର) ଥିଓରୀ ପରୀକ୍ଷା ଆରମ୍ଭ ହେବ । ତେବେ ଏହା ପୂର୍ବରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ଯୁକ୍ତଦୁଇ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଥିବା ବେଳେ ଏବେ ପୁନର୍ବାର ତାହାକୁ ବୃଦ୍ଧି କରାଯାଇଛି । ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ଅବଧିକୁ ବୃଦ୍ଧି କରାଯାଇଛି । ବିଭିନ୍ନ କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଅନୁରୋଧ କରାଯିବା ପରେ ପରିଷଦ ପକ୍ଷରୁ ଏହି ଅବଧିକୁ ଆଉ ଥରେ ବୃଦ୍ଧି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୮ରେ ବିଜ୍ଞାନ ବିଭାଗର ଏମଆଇଏଲ୍ ଓଡ଼ିଆ ପରୀକ୍ଷା, ୧୯ରେ କଳା ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କର ଓଡ଼ିଆ ପରୀକ୍ଷା ହେବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପତ୍ରବିନିମୟ ପରୀକ୍ଷା ଅନୁଷ୍ଠିତ ହେବ । ଏଥର ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ସିଏଚଏସଇ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଡିସେମ୍ବର ୨୩ରୁ ୩୦ ତରିଖ ପର୍ଯ୍ୟନ୍ତ ଇଣ୍ଟରନାଲ ପରୀକ୍ଷା ପ୍ରୋଜେଷ୍ଟ ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜାନୁଆରୀ ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବା ନେଇ ପୂର୍ବରୁ ପରୀକ୍ଷା ସୂଚୀ ପ୍ରକାଶ ପାଇଥିଲା ।