OUATରେ ରାଷ୍ଟ୍ରପତି, ପ୍ରାକୃତିକ ଓ ଜୈବିକ କୃଷିକୁ ପ୍ରୋତ୍ସାହନା ଦେବାକୁ ଦେଲେ ଆହ୍ୱାନ

ଭୁବନେଶ୍ୱର- ଓୟୁଏଟିର ୪୦ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମଙ୍କ ଓଡିଶା ଗସ୍ତର ତୃତୀୟ ଦିନରେ ସେ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଅତୀତରେ ଓୟୁଏଟିରେ ଶିକ୍ଷାଗ୍ରହଣ କରିଥିବା ବହୁ ବର ପୁରୁଷଙ୍କୁ ମନେ ପକାଇଥିଲେ । ଏଥିସହ ରାଷ୍ଟ୍ରର ବିକାଶ କୃଷି ଓ କୃଷକଙ୍କ ବିକାଶ ଦ୍ୱାରା ସମ୍ଭବ ହେବ ।

ରାଜ୍ୟରେ କୃଷିର ବିକାଶ ପାଇଁ ବିଶେଷ ସମ୍ଭାବନା ରହିଥିବା କହିଛନ୍ତି ରାଷ୍ଟ୍ରପତି । କୃଷକଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ଦ୍ୱାରା ବିଭିନ୍ନ ଯୋଜନାକୁ ବର୍ଣ୍ଣନା କରିଛନ୍ତି । ଆମ ଦେଶରେ ଚାଷ ପାଇଁ ଅନେକ ସୁବିଧା ସୁଯୋଗ ରହିଛି । ତେବେ ପ୍ରାକୃତିକ ବିପର୍ଯ୍ୟୟ , ଚାଷ ଜମିର ଅଭାବ ଆଦି ଚାଷୀ ପାଇଁ ସମସ୍ୟା ସୃଷ୍ଟି କରୁଛି । ଏହାକୁ ପ୍ରତିହତ କରିବାକୁ ଆମ ବୈଜ୍ଞାନିକମାନେ କାମ କରୁଛନ୍ତି । ଏହା କୃଷି କ୍ଷେତ୍ରକୁ ସମୃଦ୍ଧ କରୁଛି ।

ତେବେ ଅତ୍ୟଧିକ ରାସାୟନ ପ୍ରୟୋଗକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି । ସେ କହିଛନ୍ତି, ମାତ୍ରାଧିକ ରାସାୟନର ପ୍ରୟୋଗ ଦ୍ୱାରା ଜମିର ଉର୍ବରତା ନଷ୍ଟ ହେଉଛି । ଏଥିସହ, ମାଟି, ପାଣି ଓ ପରିବେଶ ଉପରେ କୁପ୍ରଭାବ ପକାଉଛନ୍ତି । ତେଣୁ ଓୟୁଏଟିରେ ଶିକ୍ଷାଗ୍ରହଣ କରୁଥିବା କୃଷି ବୈଜ୍ଞାନିକମାନେ ଏହା ଉପରେ କାମ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି । ତେଣୁ ସେମାନଙ୍କୁ ପ୍ରାକୃତିକ ଓ ଜୈବିକ ଚାଷକୁ ପ୍ରୋତ୍ସାହନା ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।

ଏଥିସହ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଆଗାମୀ ଦିନରେ ଇକୋ କୃଷି ସିଷ୍ଟମ ବିକାଶ କରିବାକୁ ଆହ୍ୱାନ ଦେଇଛନ୍ତି । ଛାତ୍ରଛାତ୍ରୀ ଆସନ୍ତା ଦିନରେ ସଫଳତା ହାସଲ କରିବେ ବୋଲି କହିଛନ୍ତି । ଏହି ଅବସରେ ସେ ଡକ୍ଟରେଟ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ବଣ୍ଟନ କରିଛନ୍ତି ।