ସରିଲା କଣ୍ଟ, ବୋଲ କିସାନ- ଦିଲ୍ଲୀ ଚଲୋ ନାରା ଦେଇ ଆଗଉଛି ଚାଷୀ ସଂଗଠନ

ନୂଆଦିଲ୍ଲୀ- ସରକାର ନେଇଥିବା ଅବଧି ସରିବା ପରେ ଶୁକ୍ରବାର ପୁଣି ଚାଷୀ ଦିଲ୍ଲୀ ଅଭିମୁଖେ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଦିଲ୍ଲୀ ଅଭିଯାନକୁ ନେଇ ଆମ୍ବାଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ୯ ଡିସେମ୍ବର ଯାଏ ଅମ୍ବାଲାର ଇଣ୍ଟରନେଟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଜାବର ଖନୌରୀ ସୀମାରେ ୧୦ ମାସ ହେବ ଡେରା ପକାଇଥିବା ଚାଷୀମାନେ ଆଜି ପୁଣି ଦିଲ୍ଲୀ ମୁହାଁ ହୋଇଛନ୍ତି । ଶମ୍ଭୁ ବର୍ଡରରେ ଚାଷୀ ବାରିକେଡ ଭାଙ୍ଗି ଆଗକୁ ବଢିବାକୁ ଚେଷ୍ଟା କରିଛନ୍ତି । ସେପଟେ ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକରି କରାଯାଇଛି ।

ଦିଲ୍ଲୀ ପୋଲିସ ଚାଷୀଙ୍କ ଦିଲ୍ଲୀ ଭିତରକୁ ପ୍ରବେଶ କରିବା ଆଗରୁ ସୀମାରେ ସୁରକ୍ଷାକୁ ବଢାଇ ଦେଇଛି । ପୋଲିସର ଜଣେ ଅଧିକାରୀ କହିଛନ୍ତି, ପୋଲିସ ଆଲର୍ଟ ମୋଡରେ ରହିଛି । ସୀମାରେ ସୁରକ୍ଷାକୁ କଡାକଡି କରାଯାଇଛି । ଗୁରୁବାର ରାତିରୁ ପୋଲିସ ପ୍ରଶାସନର ଉଚ୍ଚସ୍ତରୀୟ ଟିମ ଶମ୍ଭୁ ବର୍ଡରରେ ମୁତୟନ ରହିଛନ୍ତି । ଅମ୍ବାଲାର ଆଇଜି ଓ ଏସପି ସେଠାକୁ ଗସ୍ତ କରୁଛନ୍ତି । ସେହିପରି ହରିଆଣାର ଦାତା ସିଂହ ବର୍ଡରରେ ସୁରକ୍ଷା ବଳକୁ ସତର୍କ କରିଦିଆଯାଇଛି ।

ଏଠାରେ କହି ରଖୁଛୁ କି, ଆଗରୁ ସଂଯୁକ୍ତ କିଶାନ ମୋର୍ଚ୍ଚା ଓ କିଶାନ ମଜଦୁର ମୋର୍ଚ୍ଚାର ବ୍ୟାନର ତଳେ ଏମଏସପି ଆଇନର ଗ୍ୟାରେଣ୍ଟି ଓ ଅନ୍ୟ କିଛି ଦାବିକୁ ନେଇ ଦିଲ୍ଲୀ ଅଭିଯାନ ଆରମ୍ଭ ହୋଇଥିଲା । କିନ୍ତୁ ନୋଏଡା ସୀମାରେ ଦିଲ୍ଲୀ ମାର୍ଚ୍ଚ ବନ୍ଦ କରି ସେଠାରେ ଧାରଣାରେ ବସିଥିଲେ ତଥା ସରକାରକୁ ସେମାନଙ୍କ ଦାବି ମାନିବାକୁ ୭ ଦିନ ସମୟ ଦେଇଥିଲେ ।

ଆଜି ପୁଣି ମାର୍ଚ୍ଚ ଆରମ୍ଭ କରିଛନ୍ତି । ସେମାନଙ୍କ କହିବା କଥା, ସରକାର ଆମ କଥା ଶୁଣିଲେ ନାହିଁ । ଏହା ପରେ ଚାଷୀ ସଂଗଠନ ବୋଲ କିସାନ, ହଲ୍ଲା ବୋଲ ନାରା ଦେଇ ଆଗେଇ ଚାଲିଛନ୍ତି । ଚାଷୀଙ୍କ ଏହି ମାର୍ଚ୍ଚ ପାଇଁ ଦିଲ୍ଲୀ- ନୋଏଡା ବର୍ଡରରେ ପ୍ରବଳ ଟ୍ରାଫିକ ଜାମ ହୋଇଛି ।