ବାରିକେଡ ଡେଇଁବା ବେଳେ ସୁରକ୍ଷା ବଳର ପାୱାର ସୋ, ୬ କୃଷକ ଆହତ

ନୂଆଦିଲ୍ଲୀ– ଚାଷୀଙ୍କ ଦିଲ୍ଲୀ ଚଲୋ ଅଭିଯାନରେ ଥିବା ମରଜିବଡା ସଂଘ, ଅର୍ଦ୍ଧ ସୈନିକ ବଳ ଓ ପୋଲିସ ସହ ମୁହାଁମୁହିଁ ହୋଇଛି । ଶମ୍ଭୁ ସୀମାରେ ଲାଗିଥିବା ବାରିକେଡ ଡେଇଁ ଦିଲ୍ଲୀ ସୀମାକୁ ପ୍ରବେଶ କରିବାକ ଚେଷ୍ଟା କରିଥିବା ବେଳେ ଏହି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ସୁରକ୍ଷା ବଳ ପ୍ରଦର୍ଶନକାରୀ ଚାଷୀଙ୍କୁ ଘଉଡାଇବା ପାଇଁ ଲୁହ ବୁହା ଗ୍ୟାସ ଓ ରବର ଗୁଳିମାଡ କରିଥିଲା । ଏଥିରେ କିଛି ଚାଷୀ ଆହତ ହୋଇଥିବା ସୂଚନା ମିଳିଛି ।

ପଞ୍ଜାବର କୃଷକ ନେତା ସରବନ ସିଂହ ପନେ୍ଧର କହିଛନ୍ତି, ସୁରକ୍ଷାବଳଙ୍କ ଦ୍ୱାରା ପ୍ରୟୋଗ ଲୁହବୁହା ଗ୍ୟାସ ଗୁଳିରେ କିଛି ଚାଷୀ ଆହତ ହୋଇଛନ୍ତି । ଏହା ପରେ ଦିଲ୍ଲୀ ଚଲୋ ମାର୍ଚ୍ଚକୁ ସାମୟିକ ଭାବେ ବନ୍ଦ କରି ଦିଆଯାଇଛି । କୃଷକ ଆହତ ହେବା ପରେ ଅଭିଯାନକୁ ବନ୍ଦ କରି ସମସ୍ତଙ୍କୁ ଫେରିବାକୁ ଆହ୍ୱାନ ଦିଆଯାଇଛି । କୃଷକ ନେତା ଦାବି କରିଛନ୍ତି କି, ହରିଆଣାରେ ସୁରକ୍ଷା କର୍ମୀଙ୍କ ଦ୍ୱାର ବ୍ୟବହାର ଲୁହବୁହା ଗ୍ୟାସର ଗୁଳି ପ୍ରୟୋଗ ଦ୍ୱାରା ୬ ଜଣ ଚାଷୀ ଆହତ ହୋଇଛନ୍ତି । ଏବେ ଆନ୍ଦୋଳନକୁ ବନ୍ଦ କରାଯାଇଛି । ତେବେ ସଂୟୁକ୍ତ କିସାନ ମୋର୍ଚ୍ଚା ଓ କିସାନ ମଜଦୁର ମୋର୍ଚ୍ଚା ସହ ବୈଠକ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନିଆଯିବ ।

ପଞ୍ଜାବ ଓ ହରିଆଣା ସୀମାର ସମ୍ଭୁ ବର୍ଡରରୁ ୧୦୧ କୃଷକଙ୍କ ଏକ ଗୋଷ୍ଠି ଶୁକ୍ରବାର ଦିଲ୍ଲୀ ଆଡକୁ ପଦଯାତ୍ରା ଆରମ୍ଭ କରିଥିଲେ । କିନ୍ତୁ କିଛି ମିଟର ପରେ, ବହୁସ୍ତରୀୟ ଅବରୋଧ ଲଗାଇ ସେମାନଙ୍କୁ ଦିଲ୍ଲୀ ଭିତରକୁ ଯିବାକୁ ଦେଇନଥିଲା ପୋଲିସ ପ୍ରଶାସନ । ସେଠାରେ ଲାଗିଥିବା ବାରିରକେଡ ଡେଇଁବାକୁ ଚେଷ୍ଟା କରୁଥିବା ବେଳେ କୃଷକଙ୍କ ଉପରକୁ ସୁରକ୍ଷା ବଳ ଲୁହବୁହା ଗୁଳି ପ୍ରୟୋଗ କରିଥିଲେ । ଏଥିରେ ଆହତ କୃଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡିଛି ।