ଗରିବ ପିଲାଙ୍କ ପାଇଁ ଉଦ୍ଦିଷ୍ଟ କୋଚିଂରେ ଯୌନ କେଳେଙ୍କାରୀ, ନାବାଳକଙ୍କୁ ଶିକ୍ଷକ କରୁଥିଲା ଶୋଷଣ, ଏବେ ଗିରଫ

ମୁମ୍ବାଇ- ପ୍ରଚାର ଥିଲା ଆକର୍ଷଣୀୟ, କିନ୍ତୁ ଚାଲିଥିଲା କେଳେଙ୍କାରୀ । ସତ ପଦାକୁ ଆସିବା ପରେ ଅଭିଭାବକଙ୍କ ମୁଣ୍ଡରେ ଚଡକ । ୩୫ ବର୍ଷୀୟ ଶିକ୍ଷକ ଛାତ୍ରଙ୍କୁ ମାଲିସ କରିବାକୁ ଜୋରଜବରଦସ୍ତ ଡକାଇ ସେମାନଙ୍କ ସହ କୁ କର୍ମ କରିବା ସହ ତାର ଅଶ୍ଳୀଳ ଭିଡିଓ କରୁଥିଲା । ପୋଲିସରେ ଅଭିଯୋଗ ପରେ ଶିକ୍ଷକ ରୂପୀ ଦେହଲୋଭୀ ଗିରଫ । ଏମିତି ଘଟଣା ଘଟିଛି ମହାରାଷ୍ଟ୍ରରେ ।

ମହାରାଷ୍ଟ୍ରର ଠାଣେ ଜିଲ୍ଲାରେ ଗରିବ ବର୍ଗର ପିଲାଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବାକୁ ହୋଇଥିବା ଏକ କୋଚିଂ ସେଣ୍ଟର ବିରୋଧରେ ଏହି ଅଭିଯୋଗ ହୋଇଛି । ଅମ୍ବରନାଥ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି । ପୋଲିସରେ ସମ୍ପୃକ୍ତ ଶିକ୍ଷକ ବିରୋଧରେ ତିନି ଜଣ ନାବାଳକ ଛାତ୍ର ଅଭିଯୋଗ ଆଧାରରେ ଏଫଆଇଆର ଦାୟର ହୋଇଛି । ପୋଲିସ ମୁତାବକ, ସେପ୍ଟେମ୍ବର ମାସରେ ୧୫ ବର୍ଷୀୟ ଛାତ୍ରମାନେ ଏହି କୋଚିଂ ସେଣ୍ଟର ଛାଡିଦେବା ସହ ଆଉ ସେଠାକୁ ନ ଯିବାକୁ ଜିଦି କରିଥିଲେ । ପରିବାର ଲୋକ ପଚରା ଉଚରା କରିବାକୁ ଜଣେ ଛାତ୍ର ତାର ବାପା ମାଆଙ୍କୁ କୋଚିଂ ସେଣ୍ଟରର ଶିକ୍ଷକ ସେମାନଙ୍କ ସହ କରୁଥିବା ଖରାପ କାମ ବିଷୟରେ କହିଥିଲା ।

ଏହା ଜଣାପଡିବା ପରେ ଥାନାରେ ଅଭିଯୋଗ ହୋଇଥିଲା । ପରେ ଅନ୍ୟ ଦୁଇ ଜଣ ପିଲାଙ୍କ ପରିବାର ତରଫରୁ ମଧ୍ୟ ସମାନ ଅଭିଯୋଗ ଆସିଥିଲା । ଅଭିଯୋଗ ଆଧାରରେ ପୋଲିସ କେଚିଂ ସେଣ୍ଟରର ସେହି ଶିକ୍ଷକଙ୍କୁ ଗିରଫ କରିଛି । ସେଠାରୁ ଅନ୍ୟ ଇଲୋକ୍ଟ୍ରୋନିକ୍ସ ଉପକରଣ ମଧ୍ୟ ଜବତ କରାଯାଇଛି । ସେଥିରେ ଥିବା ଭିଡିଓର ଯାଞ୍ଚ କରାଯାଉଛି । ଶିଶୁ ଯୌନ ଉତ୍ପୀଡନ ନିରୋଧକ ଆଇନ ବଳରେ ମାମଲା ଦାୟର ହୋଇଥିବା ପୋଲିସ କହୁଛି ।

ଏଠାରେ କହିରଖୁ କି, ସମାନ ଏକ ମାମଲା ତାମୁଲନାଡୁର ସିରୁମୁଗାଇରୁ ଆସିଥିଲା । ସେଠାରେ ଏକ ସ୍କୁଲର ଶିକ୍ଷକ ୭ମରୁ ୯ମ ଶ୍ରେଣୀର ୭ ଜଣ ଛାତ୍ରୀଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା । ମାମଲାରେ ପୋଲିସ ସମ୍ପୃକ୍ତ ଶିକ୍ଷକ ତଥା ଶ୍ରେଣୀ ଶିକ୍ଷକଙ୍କୁ ସବୁ ଜାଣି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ଗିରଫ କରିଥିଲା ।