ନୂଆଦିଲ୍ଲୀ: ବର୍ତ୍ତମାନ ସିରିଆରେ ଚିନ୍ତାଜନକ ପରିସ୍ଥିତି ଦେଖାଦେଇଛି । ବିଦ୍ରୋହୀ ଗୋଷ୍ଠୀ ସିରିଆ ସରକାରଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି । ଏଭଳି ପରିସ୍ଥିତିରେ ସିରିଆ ରାଷ୍ଟ୍ରପତି ବଶର୍ ଅଲ୍ ଅସଦ ଦାମାସ୍କସ ଛାଡ଼ି ପଳାୟନ କରିଛନ୍ତି । ବର୍ତ୍ତମାନ ସିରିଆ ରାଷ୍ଟ୍ରପତି ତାଙ୍କ ପରିବାର ସହ ରୁଷରେ ଆଶ୍ରୟ ନେଇଥିବା ଜଣାପଡ଼ିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ରାଜନୈତିକ ଶରଣ ଦେଇଛନ୍ତି ।
ଗତ ୧୧ ଦିନ ଧରି ସିରିଆରେ ବିଦ୍ରୋହୀ ଗୋଷ୍ଠୀ ଏବଂ ସେନାଙ୍କ ମଧ୍ୟରେ ବିଦ୍ରୋହ ଜାରି ରହିଥିଲା । ଅସଦ ପରିବାରର ୫୦ ବର୍ଷର ଶାସନର ଅନ୍ତ ହୋଇଛି । ସିରିଆର ସର୍ବବୃହତ ବିଦ୍ରୋହୀ ଦଳର ମୁଖ୍ୟ, ଅସଦଙ୍କ ପତନ ପରେ, ପ୍ରଥମ ଥର ପାଇଁ ସମ୍ନୋକୁ ଆସି ଏହାକୁ ‘ଇସଲାମ ରାଷ୍ଟ୍ରର ବିଜୟ’ ବୋଲି କହିଥିଲେ । ସିରିଆର ରାଷ୍ଟ୍ରପତି ଦେଶ ଛାଡ଼ି ପଳାୟନ କଲା ପରେ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କ କୌଣସି ସୂଚନା ନ ମିଳିବାରୁ ବିଦ୍ରୋହୀମାନେ ରାଷ୍ଟ୍ରପତି ଭବନ ଏବଂ ଅସଦଙ୍କ ବାସଭବନରେ କବଜା କରିଥିଲେ । ନଭେମ୍ବର ୨୭ରେ ସିରିଆରେ ବିଦ୍ରୋହୀ ଆକ୍ରମଣ ଆରମ୍ଭ ହୋଇଥିଲା । କିଛି ବନ୍ଧୁକଧାରୀମାନେ ସିରିଆର ବୃଦତ୍ତମ ଉତ୍ତର ସହର ଅଲେପ୍ପା ଏବଂ ଦେଶର ୪ର୍ଥ ବୃହତ୍ତମ ସହର ହାମା ଉପରେ କବଜା କରିଥିଲେ । ଏହି ବିଦ୍ରୋହ ଯୁଦ୍ଧରେ ପରିଣତ ହେବା ପରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ ।
ସିରିଆର ପରିସ୍ଥିତି ଉପରେ ଭାରତର ମଧ୍ୟ ନଜର ରହିଛି । ସିରିଆରେ ଚାଲିଥିବା ହିଂସାକୁ ଦୃଷ୍ଟିରେ ରଖି ଭାରତ ନିଜ ନାଗରିକମାନଙ୍କୁ ସେଠାକୁ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି ଏବଂ ସିରିଆରେ ରହୁଥିବା ନାଗରିକମାନଙ୍କୁ ‘ଅତ୍ୟଧିକ ସତର୍କତା’ ରହିବା ପାଇଁ ଚେକାଇ ଦେଇଛି । ସିରିଆରେ ଗୃହଯୁଦ୍ଧ ଏକ ନୂଆ କଥା ନୁହେଁ, ଏଠାରେ ପରିସ୍ଥିତି ବର୍ଷ ବର୍ଷ ଧରି ଚିନ୍ତାରେ ପକାଇଛି । ଗୃହଯୁଦ୍ଧ ୨୦୧୧ରେ ଆରମ୍ଭ ହୋଇଥିଲା, ଯେଉଁଥିରେ ହିଂସାରେ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଏହାକୁ ନେଇ ସାରା ବିଶ୍ବରେ ଚିନ୍ତା ବୃଦ୍ଧି ପାଇଥିଲା । ବାଶାର ଅଲ-ଅସଦ ସରକାରଙ୍କ ବିରୋଧରେ ଏହି ଯୁଦ୍ଧ ଆରମ୍ଭ ହୋଇଥିଲା । କିନ୍ତୁ ବର୍ତ୍ତମାନ ବିଦ୍ରୋହୀ ଗୋଷ୍ଠୀ, ଆତଙ୍କବାଦୀ ସଂଗଠନ ଏବଂ ଅନ୍ୟ ଦେଶର ସୈନ୍ୟ ସମେତ ଅନେକ ଭିନ୍ନ ଗୋଷ୍ଠୀ ଏଥିରେ ସାମିଲ ହୋଇଛନ୍ତି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ଏହି ଯୁଦ୍ଧ ସହିତ କୌଣସି ସମ୍ପର୍କ ନାହିଁ ।