ଅମ୍ପାୟାରଙ୍କୁ ଗାଳି ଗୁଲଜ କରି ଫସିଲେ ଖେଳାଳି, ଏବେ ଆଇସିସି ଲଗାଇଲା ବଡ଼ ଜରିମାନା

ନୂଆଦିଲ୍ଲୀ: ଆଇସିସି ନିୟମ ଉଲ୍ଲଂଘନ କରିଥିବାରୁ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଜୋସେଫ୍ ଙ୍କୁ ମ୍ୟାଚ୍ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଏହି ମାମଲା ୱେଷ୍ଟଇଣ୍ଡିଜ୍ ବନାମ ବାଂଲାଦେଶ ପ୍ରଥମ ଦିନିକିଆ ସହ ଜଡ଼ିତ, ଯେଉଁଥିରେ ଜୋସେଫ୍ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ଦେଖିବାକୁ ମିଳିଥିଲା। ନିୟମରେ ସେ ଧାରା ୨.୩ ରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଯାହା ଅନୁଯାୟୀ କୌଣସି ଖେଳାଳିଙ୍କୁ ପଡ଼ିଆରେ ଅଶ୍ଳୀଳ ଭାଷା ବ୍ୟବହାର କରିବାକୁ ଅନୁମତି ନାହିଁ। ମ୍ୟାଚ୍ ଫି’ ହ୍ରାସ ବ୍ୟତୀତ ତାଙ୍କୁ ଡିମେରିଟ୍ ପଏଣ୍ଟ ମଧ୍ୟ ଦିଆଯାଇଛି।

ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଚତୁର୍ଥ ଅମ୍ପାୟାରଙ୍କ ସହ ଅଲଜାରି ଜୋସେଫ୍ ଯୁକ୍ତିତର୍କ କରିବାରୁ ଏହି ଘଟଣା ଘଟିଥିଲା। ବାସ୍ତବରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଅମ୍ପାୟାର ଜୋସେଫଙ୍କୁ ପିଚ୍ ରେ ସ୍ପାଇକ୍ ଥିବା ଜୋତା ନ ପିନ୍ଧିବାକୁ କହିଥିଲେ। ଏହି ସମୟରେ କ୍ୟାରିବିଆନ୍ ଦ୍ରୁତ ବୋଲର ଅମ୍ପାୟାରଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ପାଇଁ ଅଶ୍ଳୀଳ ଭାଷା ମଧ୍ୟ ବ୍ୟବହାର କରିଥିଲେ। ଯୋଶେଫ ନିଜେ ଏହି ଅଭିଯୋଗକୁ ସ୍ୱୀକାର କରିଛନ୍ତି, ତେଣୁ ଏହି ମାମଲାରେ କୌଣସି ଶୁଣାଣିର ଆବଶ୍ୟକତା ନାହିଁ। ଜୋସେଫଙ୍କ ବିରୋଧରେ ଗ୍ରାଉଣ୍ଡ ଅମ୍ପାୟାର କୁମାର ଧର୍ମସେନା, ଲେସ୍ଲି ରିଫର୍, ତୃତୀୟ ଅମ୍ପାୟାର ଆସିଫ୍ ୟାକୁବ ଏବଂ ଚତୁର୍ଥ ଅମ୍ପାୟାର ଗ୍ରିଗୋରି ବ୍ରାଥୱେଟ୍ ଅଭିଯୋଗ ଆଣିଥିଲେ।

ଲେବଲ-୧ ଉଲ୍ଲଂଘନରେ ସର୍ବନିମ୍ନ ଜରିମାନା ଏବଂ ଖେଳାଳିଙ୍କ ମ୍ୟାଚ୍ ଫି’ର ସର୍ବାଧିକ ୫୦ ପ୍ରତିଶତ ଜରିମାନା ରହିଛି। ଏହା ସହିତ ଗୋଟିଏ କିମ୍ବା ଦୁଇଟି ଡିମେରିଟ୍ ପଏଣ୍ଟ ମଧ୍ୟ ପ୍ରଦାନ କରାଯାଇପାରିବ। ତେବେ ଏହି ଘଟଣା ଯୋଗୁଁ ଜୋସେଫ୍ ଚର୍ଚ୍ଚାକୁ ଆସିଥିଲେ ମଧ୍ୟ ତାଙ୍କ ପ୍ରଦର୍ଶନ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ପ୍ରଥମ ଦିନିକିଆରେ ସେ ୧୦ ଓଭରରେ ୬୭ ରନ୍ ଦେଇ ୨ ୱିକେଟ୍ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ୫ ଓ୍ଵିକେଟରେ ମ୍ୟାଚ୍ ଜିତିଥିବା ବେଳେ ଶେର୍ଫାନ୍ ରଦରଫୋର୍ଡ ୭ ଚୌକା ଓ ୮ ଛକା ସହ ୧୧୩ ରନ୍ କରିଥିଲେ।