ଚେନ୍ନାଇ- ଏ କି ମରଣ? ସେମିତି ତ ବୟସ ଅଧିକ ହେଇନଥିଲା କି, କୌଣସି ଦୁର୍ଘଟଣାର ଶିକାର ହୋଇନଥିଲେ ସେ । ମାତ୍ର ୧୬ ବର୍ଷରେ ସେ ପୁଣି ଶ୍ରେଣୀ ଗୃହରେ ବସିଥିବା ବେଳେ ଚଲିଗଲା ଛାତ୍ରୀଙ୍କ ଜୀବନ । ଛାତ୍ରୀଙ୍କ ମୃତ୍ୟୁର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ଘଟିଛି ତାମିଲନାଡି ଜିଲ୍ଲାରେ ।
ତାମିଲନାଡୁର ରାନିପେଟ ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲରେ ମଙ୍ଗଳବାର ୯ମ ଶ୍ରେଣୀର କ୍ଲାସ ଚାଲିଥିଲା । ଦିନ ପ୍ରାୟ ୧୧ଟା ୩୦ ହେବ । ହଠାତ୍ ଶ୍ରେଣୀର ଇଶା ଆଦ୍ୱିଥା ବେଞ୍ଚରେ ବସି ପଢୁଥିବା ବେଳେ ମୁଣ୍ଡ ବୁଲେଇଦେବା ପରି ମାତ୍ର ଗୋଟିଏ ସେକେଣ୍ଡ ପାଇଁ ନିଶାସକ୍ତ ପରି ଟଳିପଡିଥିଲେ ସାଥୀ ଛାତ୍ରୀଙ୍କ କାନ୍ଧ ଉପରେ ।
ପ୍ରଥମେ ତ ସହପାଠୀ ଏଥିରେ ବିରକ୍ତ ହୋଇ କାନ୍ଧ ହଲେଇ ଦେଇଥିଲେ । ହେଲେ ଇଶାଙ୍କ ନିସ୍ତେଜ ଶରୀରକୁ ଅନୁଭବ କରି ଶିକ୍ଷୟିତ୍ରୀଙ୍କୁ ଡାକ ଦେଇଥିଲେ । ଅନ୍ୟ ସହପାଠୀ ଏହା ଦେଖି ଶ୍ରେଣୀଗୃହ ବାହାରକୁ ଯାଇ ଏହି ଖବର ଦେଇଥିଲେ । ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ହୋସକୁ ଆଣିବାକୁ ଡାକିଥିଲେ । ହେଲେ ଇଶା କିଛି ପ୍ରତିକ୍ରିୟା ଦେଇନଥିଲେ ।
ତାପରେ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣା ପରେ ମୃତଦେହ ଜବତ କରି ଅଟୋସ୍ପି ପାଇଁ ପଠାଇଛି । ସେପଟେ ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି କି, ଛାତ୍ରୀ ଚେନ୍ନାଇର ଜଣାଶୁଣା ଡାକ୍ତର ଡ କେ ଭସନ୍ତ କୁମାରଙ୍କ ଝିଅ ।