ଏହି ଦେଶରେ ହିଜାବ ଆଇନ ହେଲା ଆହୁରି କଡା, ନିୟମ ନ ମାନିଲେ ମହିଳାଙ୍କୁ ମିଳିବ ମୃତ୍ୟୁଦଣ୍ଡ

ତେହରାନ- ୨୦୨୨ରୁ ହିଜାବକୁ ନେଇ ଇରାନରେ ପ୍ରବଳ ବିରୋଧ ସତ୍ତେ୍ୱ ସରକାର ଏହି ଆଇନକୁ ଆହୁରି କଡାକଡି କରିଛି । ଏବେ ହିଜାବ ଆଇନକୁ ଉଲ୍ଲଙ୍ଘନ କଲେ ମହିଳାଙ୍କୁ ମିଳିପାରେ ମୃତ୍ୟୁଦଣ୍ଡ । ନୂଆ ଆଇନର ଉପଧାରା ୬୦ ଅନ୍ତର୍ଗତ ମହିଳାଙ୍କୁ ଜରିମାନା, ହଣ୍ଟର ପ୍ରହାର ବା କଠୋର ଜେଲ ଦଣ୍ଡ ମିଳିବ । ଇରାନରେ ୧୯୭୯ରୁ ହିଜାବ ପିନ୍ଧିବା ଅନିର୍ବର୍ଯ୍ୟ । ତେବେ ୨୦୨୨ରେ ଏହି ଆଇନକୁ ବିରୋଧ କରି ମହସା ଅମିନିଙ୍କ ମୃତ୍ୟୁ ପରେ ମହିଳା ଏହି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିଲେ ।

ନୂଆ ଆଇନ ମୁତାବକ, କୌଣସି ମହିଳା ଏହି ଆଇନକୁ ଏକାଧିକ ଥର ଉଲ୍ଲଙ୍ଘନ କଲେ ତାଙ୍କୁ ୧୫ ବର୍ଷ ଯାଏଁ ଜେଲ ଦଣ୍ଡ ବା ଫାଶୀ ମିଳିପାରେ । ଏହା ବ୍ୟତୀତ ଇରାନ ସରକାର ଏକ ବିବାଦସ୍ପଦ ହିଜାବ କ୍ଲିନିକ ଖୋଲିବାକୁ ମଧ୍ୟ ଘୋଷଣା କରିଛନ୍ତି, ଯାହାର ଉଦ୍ଦେଶ୍ୟ ହିଜାବ ନିୟମକୁ ପାଳନ କରିବା ।

ହିଜାବ ଆଇନ ସହ ମିଡିଆ ଉପରେ ମଧ୍ୟ କଟକଣା ଲଗାଇଛି ଇରାନ ସରକାର । ମିଡିଆ ରିପୋର୍ଟ ମୁତାବକ, ଇରାନରେ ଯଦି କୌଣସି ବିଦେଶୀ ମିଡିଆ ଯଦି ହିଜାବ ବିରୋଧୀ ବିଚାରଧାରାକୁ ପ୍ରମୋଟ କଲା ତେବେ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଓ ୧୨,୫୦୦ ପାଉଣ୍ଡ ଜରିମାନା ଦେବାକୁ ହେବ । ଏଥିସହ କୌଣସି ମହିଳାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ ହସ୍ତକ୍ଷେପ କରେ ତେବେ ମିଡିଆ କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ । ଏମିତି ଲୋକଙ୍କୁ ସିଧା ଜେଲକୁ ପଠାଯିବ ବୋଲି ଇରାନ ସରକାର ଘୋଷଣା କରିଛି ।

ଇରାନର ଏହି ନୂଆ ହିଜାବ ଆଇନକୁ ନେଇ ଖାଲି ଦେଶରେ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ବିରୋଧ କରାଯାଉଛି । ଏହାକୁ ମହିଳା ଅଧିକାର ବିରୋଧୀ ବୋଲି କୁହାଯାଉଛି । ଏହା ଉପରେ ଇରାନ କହିଛି, ଏହି ଆଇନର ଉଦ୍ଦେଶ୍ୟ ହେଉଛି ସମାଜରେ ହିଜାବ ସଂସ୍କୃତିର ପବିତ୍ରତା ବଜାୟ ରଖିବା ଓ ମହିଳାମାନଙ୍କୁ ଏକ ବିଶେଷ ଡ୍ରେସ କୋଡ ଆପଣେଇବାକୁ ପ୍ରେରିତ କରିବା ।