ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍ ୧୪ ତାରିଖ ଶନିବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ମ୍ୟାଚ୍ ବ୍ରିସବେନ୍ କ୍ରିକେଟ ଗ୍ରାଉଣ୍ଡ ତଥା ଗାବାରେ ଖେଳାଯିବ। ସେଥିପାଇଁ ଭାରତୀୟ କ୍ରିକେଟ୍ ଦଳ ବ୍ରିସବେନରେ ପହଞ୍ଚି ସାରିଛି। ହେଲେ ବ୍ରିସ୍ବେନ ଆସିବା ପୂର୍ବରୁ ଆଡିଲେଡରେ ଯୁବ କ୍ରିକେଟ ଯଶସ୍ୱୀ ଜୈସୱାଲଙ୍କ ଉପରେ ରାଗି ଯାଇଥିଲେ ଅଧିନାୟକ ରୋହିତ ଶର୍ମା । ଏମିତିକି ପୁରା ଟିମ ମଧ୍ୟ ତାଙ୍କ ଉପରେ ରାଗିଯାଇଥିଲା । ତାଙ୍କୁ ହୋଟେଲରେ ଛାଡ଼ି ପୂରା ଟିମ୍ ବ୍ରିସ୍ବେନ ଅଭିମୁଖେ ଯାତ୍ରା କରିବା ପାଇଁ ଆଡିଲେଡ୍ ବିମାନ ବନ୍ଦରକୁ ଚାଲି ଯାଇଥିଲା । ଘଟଣାଟି ହେଉଛି ଏମିତି ।
ଆଡିଲେଡ୍ରୁ ବ୍ରିସବେନ ଯିବା ପାଇଁ ଟିମ୍ ଇଣ୍ଡିଆର ଖେଳାଳି, କୋଚ୍ ଓ ଅନ୍ୟ ସମସ୍ତ ସଦସ୍ୟମାନେ ହୋଟେଲ୍ ଲବିରେ ଆସି ଏକାଠି ହୋଇଥିଲେ। ଆଡିଲେଡ୍ ବିମାନ ବନ୍ଦର ପର୍ୟ୍ୟନ୍ତ ଯିବା ନିମନ୍ତେ ସେମାନଙ୍କ ପାଇଁ ଦୁଇଟି ବସର ବ୍ୟବସ୍ଥା କରାଯାଇଥିଲା । ଧାର୍ୟ୍ୟ ସମୟରେ ସମସ୍ତେ ଲବିରେ ପହଞ୍ଚି ଯାଇଥିଲେ ହେଁ ଯଶସ୍ୱୀ ଜୈସୱାଲଙ୍କ ଦେଖା ମିଳି ନଥିଲା। ଅଳ୍ପ ସମୟ ମଧ୍ୟରେ ସେ ଆସିଯିବେ ଭାବି ସମସ୍ତ ଖେଳାଳି ସେମାନଙ୍କ ପାଇଁ ଉଦ୍ଦିଷ୍ଟ ବସ ରେ ଯାଇ ବସିଥିଲେ। ସେମାନେ ସେଠାରେ ଯଶସ୍ୱୀଙ୍କୁ ଦୀର୍ଘ ସମୟ ଅପେକ୍ଷା ମଧ୍ୟ କଲେ। କିନ୍ତୁ ଆସି ନଥିଲେ ଯଶସ୍ୱୀ।
ତେଣୁ ଅଧିନାୟକ ରୋହିତ ଶର୍ମା ରାଗି ଯାଇଥିଲେ ଓ ସେମାନେ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇଟି ଯାକ ବସ୍ ଯଶସ୍ୱୀଙ୍କୁ ଛାଡ଼ି ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା। ଅବଶ୍ୟ ଟିମ୍ ମ୍ୟାନେଜମେଣ୍ଟ ଯଶସ୍ୱୀଙ୍କ ପାଇଁ ଏକ କାର୍ ବୁକ୍ କରି ଦେଇଥିଲେ।ଦୁଇଟି ଯାକ ବସ୍ ହୋଟେଲ ଛାଡ଼ିବାର ପ୍ରାୟ ୨୦ ମିନିଟ୍ ପରେ ଲବିରେ ଆସି ପହଞ୍ଚିଥିଲେ ଯଶସ୍ୱୀ ଜୈସୱାଲ। ସେ ବୁକ୍ ହୋଇଥିବା କାରରେ ବିମାନ ବନ୍ଦରକୁ ଯାଇଥିଲେ। ଜଣେ ସୁରକ୍ଷାକର୍ମୀ ତାଙ୍କ ସହିତ ବିମାନ ବନ୍ଦର ପର୍ୟ୍ୟନ୍ତ ଯାଇଥିଲେ।
ସେଠାରେ ଟିମ୍ ସହିତ ସାମିଲ ହୋଇ ବିମାନ ଯୋଗେ ବ୍ରିସବେନ ଯାଇଥିଲେ ଯଶସ୍ୱୀ। ତେବେ ପର୍ଥରେ ବୃହତ୍ତ ବିଜୟ ପରେ ଆଡିଲେଡରେ ଲଜ୍ଜାଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଏବେ ଏହି ସିରିଜରେ ଉଭୟ ଦଳ ୧-୧ ସ୍ଥିତିରେ ଥିବା ବେଳେ ଶନିବାରଠାରୁ ଆରମ୍ଭ ହେବ ତୃତୀୟ ଟେଷ୍ଟ। ଏହି ମ୍ୟାଚରେ ଦଳକୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ ଏଥିରେ ପରାସ୍ତ ହେଲେ ଚାପ ଆହୁରି ବଢ଼ିଯିବ ଓ ପରବର୍ତ୍ତୀ ଦୁଇଟି ଟେଷ୍ଟ ସେମାନଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଯିବ।