(Video) ଓଡ଼ିଶାରେ ପୁଣି ଭୂକମ୍ପ: ଭୟଙ୍କର ଶବ୍ଦରେ ଥରିଲା ରାଜ୍ୟର ଏକାଧିକ ଅଞ୍ଚଳ, ଭୟରେ ଦୌଡ଼ିଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟର ଏକାଧିକ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପୁଣି ଭୟଙ୍କର ଶବ୍ଦରେ ଥରି ଉଠିଛି ଓଡ଼ିଶାର ମାଟି । ପୁଣି ଥରେ ଓଡ଼ିଶାର ଏକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଭୟଙ୍କର ଶବ୍ଦ ଶୁଣି ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । କଳାହାଣ୍ଡି ଜିଲ୍ଲାର କୋକସରା ଅଞ୍ଚଳରେ ଆଜି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି । ସନ୍ଧ୍ୟା ୭ଟା ୩ ମିନିଟ ସମୟରେ ହାଲୁକା ଭୂମିକମ୍ପ ଅନୁଭୂତ ହୋଇଥିଲା । ଚଳିତ ମାସରେ ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା ।
ତେବେ କେବଳ କୋକସରା ନୁହେଁ, ଧର୍ମଗଡ଼ ଅଞ୍ଚଳରେ ମଧ୍ୟ ଆଜି ଭୂକମ୍ପ ଅନୁଭୂତ ହୋଇଥିଲା । ସନ୍ଧ୍ୟା ପାଖାପାଖି ୭ଟା ୧୦ ମିନିଟରେ ମାଟି ତଳେ ବ୍ଲାଷ୍ଟ ହେବା ଭଳି ଶବ୍ଦ ହୋଇଥିଲା । ଏଥିସହିତ ମାଟି, ଘର ଦୋହଲିବା ଭଳି ଲୋକେ ଅନୁଭବ କରିଥିଲେ । ତେବେ ମାତ୍ର ୨ ସେକେଣ୍ଡ ପାଇଁ ତା’ର ପ୍ରଭାବ ରହିଥିଲା । ଧର୍ମଗଡ଼ ସମେତ ରାଜମୋଟେର, ଗଡ଼ିଆଯୋର, ପର୍ଲା, ସେମଲା, ବେହେରା, ମୋଟେର, କଲମପୁରର ବିଭିନ୍ନ ଗ୍ରାମ, ଚିଲଚିଲା ଆଦି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୪ ତାରିଖରେ ମାଲକାନଗିରି ଜିଲ୍ଲାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ସକାଳ ୭.୨୮ ସମୟରେ ମାଲକାନଗିରି ସମେତ ଛତିଶଗଡ଼ ଓ ସୁକମା ବିଜାପୁର ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ଉକ୍ତ ମୃଦୁ ଭୂକମ୍ପ କାରଣରୁ କୌଣସି କ୍ଷୟକ୍ଷତି ହୋଇ ନଥିଲା । କିଛି ମାସ ପୂର୍ବରୁ ମଧ୍ୟ ଭୂକମ୍ପ କାରଣରୁ ରାଜ୍ୟର ବାଲେଶ୍ୱର, ଭଦ୍ରକ ଓ ଅନ୍ୟ କିଛି ଅଞ୍ଚଳରେ ଲୋକମାନେ ଭୀଷଣ ଶବ୍ଦ ଶୁଣିବାକୁ ପାଇଥିଲେ ।