SMSରେ ଏମିତି କ’ଣ ଲେଖିଲେ କ୍ୟାବ୍ ଡ୍ରାଇଭର… ରାଇଡ୍ କ୍ୟାନସେଲ କଲେ ଯାତ୍ରୀ, ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଯୁଗ । ଗୋଟିଏ କ୍ଲିକରେ ସହଜରେ ଟଙ୍କା ଟ୍ରାନ୍ସଫର ହୋଇଯାଉଛି । ବଡ଼ ବଡ଼ ସହରରେ ଅଧିକାଂଶ ବ୍ୟକ୍ତିଙ୍କ ପାଖରେ ନିଜର ଗାଡ଼ି ଥିଲେ ମଧ୍ୟ ସେମାନେ ପବ୍ଲିକ୍ ଟ୍ରାନ୍ସପୋର୍ଟ/ ଅନଲାଇନ୍ କ୍ୟାବ୍ ବ୍ୟବହାର କରିବା ପସନ୍ଦ କରିଥାନ୍ତି । ଏହାର କାରଣ ହେଉଛି ପାର୍କିଂ ସମସ୍ୟା । କ୍ୟାବ୍ ବୁକ୍ କରି ଯାତ୍ରା କରିବା ସହଜ ହୋଇଥିଲେ ମଧ୍ୟ ବେଳେ ବେଳେ ଏହା ସମସ୍ୟାର କାରଣ ପାଲଟିଯାଏ । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗୁରୁଗ୍ରାମରେ ଯାହା ଚର୍ଚ୍ଚାର ବିଷୟ ପାଲଟିଛି ।

ସାଧାରଣତଃ କ୍ୟାବ୍ ବୁକ୍ କରିବା ସମୟରେ ପ୍ରଥମେ ଡ୍ରାଇଭରଙ୍କ ବିବରଣୀ ପାଇଥାଉ । ଏହା ପରେ ଆମେ ଡ୍ରାଇଭରଙ୍କ ସହ କଥା ହୋଇଥାଉ ଓ ଲୋକେସନ ବିଷୟରେ ସୂଚନା ଦେଇଥାଉ । କିନ୍ତୁ ଜଣେ ଯାତ୍ରୀ କ୍ୟାବ୍ ବୁକ୍ କରିବା ସମୟରେ ନିଜ ଭୟଙ୍କର ଅନୁଭବକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ସେ ଲେଖିଛନ୍ତି, ‘ମୁଁ ଲୋକେସନରେ ଅଛି । ମୋତେ ଆନନ୍ଦ ବିହାର ଟର୍ମିନାଲ ଯିବାର ଅଛି, ଦୟାକରି ଆପଣ ଆସନ୍ତୁ ।’ ଏହାର ପ୍ରତିକ୍ରିୟାରେ ଉକ୍ତ କ୍ୟାବ୍ ଡ୍ରାଇଭର ଜଣଙ୍କ ଏପରି ଉତ୍ତର ଲେଖିଥିଲେ ଯାହାକୁ ଦେଖି ଯାତ୍ରୀ ଜଣଙ୍କ ଛାନିଆରେ ଟ୍ରିପ୍ ବାତିଲ କରିଥିଲେ । କ୍ୟାବ୍ ଡ୍ରାଇଭର ଜଣଙ୍କ ଲେଖିଥିଲେ, ‘ମୁଁ ଖୁସି ଖୁସି ଆପଣଙ୍କ କିଡନାପ୍ କରିବାକୁ ଆସିବି’ । kushpyro1 ନାମକ ଜଣେ ୟୁଜର Redditରେ ଏହି ପୋଷ୍ଟ ଶେୟାର କରିଛନ୍ତି । ଏହି ପୋଷ୍ଟ ଦେଖି ଅନେକ ୟୁଜର କମେଣ୍ଟ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ‘ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ହୁଏତ ଡ୍ରାଇଭରର ଟାଇପିଂରେ ତ୍ରୁଟି ଥାଇପାରେ ।’ ଅନ୍ୟ ଜଣେ ଲେଖିଛନ୍ତି, ‘ଆପଣ ଅନ୍ୟ କୌଣସି କ୍ୟାବ୍ ବୁକ୍ କରିଦିଅନ୍ତୁ ।’