ନଦୀରେ ବଡ ଧରଣର ଅଘଟଣ, ଡଙ୍ଗା ବୁଡି 25 ମୃତ 10ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: କଙ୍ଗୋର ମାଇ-ଏନଡୋମ୍ବ ପ୍ରଦେଶର ଫିମି ନଦୀରେ ବୁଡିଲା ଡଙ୍ଗା । କିନସାସାର ଉତ୍ତର-ପୂର୍ବରେ ଅବସ୍ଥିତ ଇନୋଙ୍ଗୋ ସହର ନିକଟରେ ଏହି ଦୁଃଖଦାୟକ ଘଟଣା ଘଟିଛି । ଏହି ଘଟଣାରେ 25ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 10ରୁ ଅଧିକ ନିଖୋଜ ରହିଛନ୍ତି । ତେବେ ଦୁର୍ଘଟଣା ଘଟିବା ସମୟରେ ଡଙ୍ଗାରେ 100 ଜଣ ଯାତ୍ରୀ ରହିଥିଲେ ।

ଫିମି ନଦୀନରେ 100 ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା କିଛି ଦୂର ଗଲା ପରେ ଓଲଟି ପଡିଥିଲା । ଅନେକ ନିଖୋଜ ହୋଇଯାଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରଖାଯାଇଥିଲା । ତେବେ 10ରୁ ଅଧିକ ଜଣ ନିଖୋଜ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶା କରାଯାଉଛି । ଖବର ଲେଖାଯିବା ପର୍ଯ୍ୟନ୍ତ 25ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ନେଇ ଇନୋଙ୍ଗୋର ନଦୀ କମିଶନର ଡେଭିଡ କାଲେମ୍ବା କହିଛନ୍ତି । ଓଲଟି ପଡିଥିବା ଡଙ୍ଗାରେ ଯାତ୍ରୀଙ୍କ ସମେତ ସାମଗ୍ରୀ ମଧ୍ୟ ଭର୍ତ୍ତି କରାଯାଇଥିଲା । କଙ୍ଗୋର ଏହି ନଦୀ ଉପରେ ସ୍ଥାନୀୟବାସୀ ନିର୍ଭର କରିଥାନ୍ତି ।

ତେବେ କଙ୍ଗୋରେ ଏହା ପ୍ରଥମ ଘଟଣା ନୁହେଁ । ଅକ୍ଟୋବରରେ, ପୂର୍ବ କଙ୍ଗୋରେ ଏକ ଡଙ୍ଗା ବୁଡ଼ିଯିବା ପରେ ୭୮ଜଣଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଜୁନ୍ ମାସରେ କିନସାସା ନିକଟରେ ସମାନ ଘଟଣାରେ ୮୦ଜଣଙ୍କର ମୃତ୍ୟୁ ଘଟିଥିଲା। ତେବେ ଜଳରେ ପରିବହନ ରୋକିବା ପାଇଁ ସରକାର ଚେତାବନୀ ଦେଉଥିଲେ ମଧ୍ୟ କୌଣସି ପ୍ରକାରେ ଫରକ ଦେଖିବାକୁ ମିଳୁନାହିଁ ।