କେନ୍ଦ୍ରାପଡ଼ା: ଦିନକୁ ଦିନ ରାସ୍ତାରେ ବୁଲା ଗାଈ ଗୋରୁଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ସେମାନେ ରାସ୍ତା ମଝିରେ ଶୋଇଯାଉଛନ୍ତି ତ ପୁଣି କେତେବେଳେ ଲଢ଼େଇ କରୁଛନ୍ତି । ଯଦ୍ୱାରା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସମୟରେ ସେମାନେ ଅକାଳରେ ଦୁର୍ଘଟଣାର ଶିକାର ମଧ୍ୟ ହୋଇଥାନ୍ତି । ତେଣୁ ବୁଲା ଗାଈ ଗୋରୁ ଓ ଷଣ୍ଢଙ୍କ ସୁରକ୍ଷା ନିମନ୍ତେ ସେମାନଙ୍କ ବେକରେ ରେଡିୟମ ବେଲ୍ଟ ପିନ୍ଧାଇବା ଭଳି ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନିଆଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇରେ ।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଇଆଇସି ପଦ୍ମାଳୟା ପ୍ରଧାନଙ୍କ ସମେତ ପଟ୍ଟାମୁଣ୍ଡାଇ ବିଜେପି କର୍ମକର୍ତ୍ତାଙ୍କ ମିଳିତ ଉଦ୍ୟମରେ ବୁଲା ଗାଈ ଗୋରୁ ଓ ଷଣ୍ଢମାନଙ୍କୁ କିଛି ଖାଇବାକୁ ଦେଇ ତାଙ୍କ ବେକରେ ରେଡିୟମ ବେଲ୍ଟ ବାନ୍ଧି ଥିବା ଦେଖିବାକୁ ମିଳିଛି । ରାତିରେ ଏହି ରେଡିୟମ ବେଲ୍ଟ ବନ୍ଧା ହୋଇଥିବା ଗାଈ ଗୋରୁ ଓ ଷଣ୍ଢ ରାସ୍ତାରେ ଥିବା ନେଇ ଦୂରରୁ ଗାଡ଼ି ଲାଇଟିରେ ମଟର ଚାଳକ ଜଣଙ୍କ ଦେଖି ପାରିବେ ଓ ଦୁର୍ଘଟଣାରୁ ବର୍ତ୍ତି ପାରିବେ ବୋଲି କହିଛନ୍ତି ଗ୍ରାମାଞ୍ଚଳ ଆଇଆଇସି ପଦ୍ମାଳୟା ପ୍ରଧାନ । ଏହି ଅଞ୍ଚଳରେ ଯେତେ ବୁଲା ଗାଈ ଗୋରୁ ଓ ଷଣ୍ଢ ଅଛନ୍ତି ସମସ୍ତଙ୍କ ବେକରେ ରେଡିୟମ ବେଲ୍ଟ ବନ୍ଧା ହେବ ବୋଲି କହିଛନ୍ତି ବିଜେପି କର୍ମକର୍ତ୍ତା ।