ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିଲେ ଏବଂ ଅବକାରୀ ପଲିସି ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ଵର: ଆଉ କିଛି ଦିନ ପରେ ପାଦ ଥାପିବ ଇଂରାଜୀ ନୂଆବର୍ଷ । ସବୁଆଡ଼େ ରହିବ ଉତ୍ସାହର ମାହୋଲ । ଚଳଚଞ୍ଚଳ ହୋଇଉଠିବ ବିଭିନ୍ନ ବାର୍ । ଏହି ସମୟରେ ଲୋକମାନେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗ କଠୋର ନୀତି ଆପଣାଇଛି । ଲୋକେ ମଦ୍ୟପାନ କରି ବିଶୃଙ୍ଖଳିତ ଆଚରଣ କରିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ନୂଆବର୍ଷ ପାଇଁ କଠୋର ହେଲା ଅବକାରୀ ବିଭାଗ । ଅବକାରୀ ପଲିସି ନ ମାନିଲେ ହେବ କାର୍ଯ୍ୟାନୁଷ୍ଠାନ । ଏହା ସହିତ ବେଆଇନ ମଦ ବିକ୍ରି ଉପରେ ମଧ୍ୟ ଅଙ୍କୁଶ ଲାଗିବ । ଗଞ୍ଜାମ ଜିଲ୍ଲା ଚିକିଟିଠାରେ ହୋଇଥିବା ମଦ ଘଟଣା ନେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ଅବକାରୀ କମିଶନର ନରସିଂହ ଭୋଳଙ୍କ ସହ ଆଲୋଚନା କରି ସବିଶେଷ ତଥ୍ୟ ମାଗିଛନ୍ତି । ରାଜ୍ୟରେ ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ । ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷିଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ଉ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି ।