Jadeja vs Media; ଚତୁର୍ଥ ଟେଷ୍ଟ ପୂର୍ବରୁ ବିବାଦରେ ସାର୍ ଜାଡେଜା: ପ୍ରେସ କନଫରେନ୍ସକୁ ନେଇ କମ୍ପୁଛି ଅଷ୍ଟ୍ରେଲିଆ ମିଡିଆ
ନୂଆଦିଲ୍ଲୀ: ଲଗାତାର ଟିମ ଇଣ୍ଡିଆକୁ ଟାର୍ଗେଟ କରିବାରେ ଲାଗିଛି ଅଷ୍ଟ୍ରେଲିଆ । ହାତରେ ନହେଲେ ଭାତରେ, ଭାରତର ଆତ୍ମବିଶ୍ୱାସକୁ ଭାଙ୍ଗିବା ପାଇଁ ଲଗାତାର ଚକ୍ରବ୍ୟୁ କରୁଛି କଙ୍ଗାରୁ । ଆଉ ଏଥିରେ ଖୁବ ସାଥ୍ ଦେଇଛି ଦେଶର ଗଣମାଧ୍ୟମ । ମେଲବର୍ଣ୍ଣରେ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ସାର୍ ଜାଡେଜା ଏବଂ ଅଷ୍ଟ୍ରେଲିଆ ମିଡିଆକୁ ନେଇ ଦେଖାଦେଇଛି ବିବାଦ । ଷ୍ଟାର ଅଲରାଉଣ୍ଡରଙ୍କ ପ୍ରେସ କନଫରେନ୍ସକୁ ନେଇ ଏକ ବଡ଼ ଆରୋପ ଲଗାଇଛି ଅଷ୍ଟ୍ରେଲିଆ ମିଡିଆ । ଜାଡେଜା ହିନ୍ଦୀରେ ବୟାନ ଦେବାକୁ ନେଇ ଅଷ୍ଟ୍ରେଲିଆ ମିଡିଆ ପକ୍ଷପାତର ଆରୋପ ଲଗାଇଛି ।
ଟିମ ଇଣ୍ଡିଆ ମେଲବର୍ଣ୍ଣରେ ଅଭ୍ୟାସ କରୁଥିବା ବେଳେ ଏଭଳି ଘଟଣା ଘଟିଯାଇଛି । ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଭାରତର ରିପୋର୍ଟରମାନଙ୍କ ପାଇଁ ଏକ ପ୍ରେସ କନଫରେନ୍ସ ଡକାଇଥିଲେ । କିନ୍ତୁ ସେ ବୟାନ ଦେବା ବେଳେ ଅଚାନକ ଅଷ୍ଟ୍ରେଲିଆ ରିପୋର୍ଟରେ ସେଠାରେ ପହଞ୍ଚିଥିଲେ । କିନ୍ତୁ ଜାଡେଜା ଲଗାତାର ହିନ୍ଦୀ ଭାଷାରେ ହିଁ ନିଜ କଥା ରଖିଛନ୍ତି । ଫଳରେ ଅଷ୍ଟ୍ରେଲିଆ ମିଡିଆର କୌଣସି ରିପୋର୍ଟ ଜାଡେଜାଙ୍କୁ ଇଂରାଜୀରେ ପ୍ରଶ୍ନ ପଚାରି ପାରିନଥିଲେ । ଏହାକୁ ନେଇ ଅଷ୍ଟ୍ରେଲିଆ ମିଡିଆ ଜାଡେଜାଙ୍କ ବିରୋଧରେ ଏବଂ ବିସିସିଆଇ ମିଡିଆ ମ୍ୟାନେଜରଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛି । ଜାଡେଜା ଏବଂ ବିସିସିଆଇ ମିଡିଆ ମ୍ୟାନେଜର ପକ୍ଷପାତ କରୁଥିବା ଅଭିଯୋଗ କରିଛି ଅଷ୍ଟ୍ରେଲିଆ ମିଡିଆ ।
ଅଷ୍ଟ୍ରେଲିଆର ଜଣେ ରିପୋର୍ଟର ମ୍ୟାନେଜର ମୌଲିନ୍ ପାରିଖଙ୍କୁ ପଚାରିଥିଲେ ଯେ, ଇଂରାଜୀରେ କୌଣସି ପ୍ରଶ୍ନ କାହିଁକି ନିଆଗଲା ନାହିଁ? ତେବେ ଏହାର ଉତ୍ତର ଦେଇ ପାରିଖ ମାମଲା ସମାଧାନ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ କ୍ୟାମେରା ପର୍ସନ ଅନୁମତି ବିନା ଭିଡିଓ ରେକର୍ଡ କରିବାରୁ ମାମଲା ଆହୁରି ବିଗିଡ଼ି ଯାଇଛି । ବିନା କୌଣସି କାରଣରେ ଅଷ୍ଟ୍ରେଲିଆ ମିଡିଆ ଏହି ମାମଲାକୁ ବିରାଟଙ୍କ ମାମଲା ସହ ଯୋଡ଼ିବାକୁ ଚେଷ୍ଟା କରିଛି । ଟିମ ଇଣ୍ଡିଆ ସାମ୍ବାଦିକ ସମ୍ମିଳନୀ ସମୟରେ ପକ୍ଷପାତିତା କରିବା ସହ ଅସହଯୋଗ କରୁଥିବା ଅଭିଯୋଗ କରିଛି ଅଷ୍ଟ୍ରେଲିଆ ମିଡିଆ ।