ବଲାଙ୍ଗୀର- ବଲାଙ୍ଗୀର ଜେଲରେ ବିଚାରାଧୀନ ଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ଭୀମ ଭୋଇ ହସ୍ପିଟାଲରେ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା । ଗତ ୧୯ ତାରିଖରେ ସେ ବଲାଙ୍ଗୀର ଜେଲକୁ ଆସିଥିଲେ । ତାଙ୍କ ବିରୋଧରେ ଥିଲା ପୋକ୍ସୋ ମାମଲା । ମୃତ କଏଦୀଙ୍କ ବୟସ ୮୬ ବର୍ଷ ।
ସୂଚନା ମୁତାବକ, ତୁରେକେଲା ଥାନା ଅଧୀନ ତୁରକେଲା ଗାଁର ବାସିନ୍ଦା ୮୬ ବର୍ଷୀୟ ଗୁରୁଦେବ ଦୀପଙ୍କୁ ୧୯ ତାରିଖରେ ବଲାଙ୍ଗୀର ତୁରେକେଲା ପୋଲିସ ଏକ ପୋକ୍ସୋ ମାମଲାରେ ଗିରଫ କରି ବଲାଙ୍ଗୀର ଜେଲକୁ ପଠାଇଥିଲା । ତେବେ ୨୧ ତାରିଖରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିଲା । ଜେଲ କର୍ତ୍ତୃପକ୍ଷ ତୁରନ୍ତ ହିଁ ତାଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁଙ୍କ ମୃତ୍ୟୁ ହୋଇଛି ।
ପୋଲିସ ଖବର ପାଇଁ ହସ୍ପିଟାଲରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ତାଙ୍କ ପରିବାରକୁ ମଧ୍ୟ ସୂଚିତ କରାଯାଇଛି । ଗୁରୁଦେବ ଜଣେ ନାବାଳିକା ସହ ଅପକର୍ମ କରିବା ଅଭିଯୋଗ ହୋଇଥିଲା । ମାମଲାରେ ବଲାଙ୍ଗୀର ପୋକ୍ସୋ କୋର୍ଟ ଗୁରୁଦେବଙ୍କୁ ଗିରଫ କରିବାକୁ ୱାରେଣ୍ଟ ଇସୁ କରିଥିଲା । ପୋଲିସ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଗିରଫ କରିଥିଲା ।
ତେବେ କେଉଁ କାରଣରୁ ତାଙ୍କ ମୃତ୍ୟୁ ହୋଇଛି ତାହା ତ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବ । ତେବେ ବୟସାଧିକ୍ୟ ସାଙ୍ଗକୁ ପ୍ରବଳ ଶୀତ ପାଇଁ ସେ ଅସୁସ୍ଥ ହୋଇ ମୃତ୍ୟୁବରଣ କରିଥାଇ ପାରନ୍ତି, ଏପରି ଆକଳନ କରାଯାଉଛି ।