ନୂଆଦିଲ୍ଲୀ– ଭାରତ ଉପରେ ପ୍ରତି ଦିନ ନୂଆ ନୂଆ ଅଭିଯୋଗ ଆଣୁଛି ବାଙ୍ଗଲାଦେଶ । ଏବେ ନୂଆ ଓ ସାଂଘାତିକ ଅଭିଯୋଗ ଲଗାଉଛି ବାଙ୍ଗଲାଦେଶ । ବାଙ୍ଗଲାଦେଶରୁ ଲୋକ ଗାଏବ ହେବା ପଛରେ ଭାରତର ହାତ ଥିବା ସେଠାର ଏକ ଯାଞ୍ଚ ସଂସ୍ଥା ଅଭିଯୋଗ ଆଣିଛି । ଏହି ଯାଞ୍ଚ ସଂସ୍ଥାର ଗଠନ କରିଥିଲା ବାଙ୍ଗଲାଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସ ସରକାର ।
ଯାଞ୍ଚ ସଂସ୍ଥା କହିଛି, ପୂର୍ବତନ ପ୍ରଧାନମନ୍ତ୍ରୀ ସେଖ ହସିନାଙ୍କ ସରକାର କାଳରେ ଦେଶରୁ ଲୋକ ଗାଏବ ହେଉଥିଲେ ଓ ଏହା ପଛରେ ଭାରତ ସଂଶ୍ଳିଷ୍ଟ ଥିଲା । ଏହି ସଂସ୍ଥା ତାର ରିପୋର୍ଟରେ ଦୁଇଟି ବିଶେଷ ମାମଲା ଉପରେ କହିଛି । କୁହାଯାଇଛି କି, ର୍ୟାପିଡ ଆକ୍ସନ ବାଟାଲିୟନ (ଆରଓବି)ର ଭୂମିକା ଏହି ଘଟଣାରେ ମଧ୍ୟ ରହିଛି । ଏଥିପାଇଁ ଯାଞ୍ଚ ସଂସ୍ଥା ଆଇଏବିକୁ ବନ୍ଦ କରିବାକୁ ସୁପାରିଶ କରିଛି ।
କିଛି ମାସ ହେବ ଭାରତ ଓ ବାଙ୍ଗଲାଦେଶ ଭିତରେ ସମ୍ପର୍କ ତୀକ୍ତ ହେବାରେ ଲାଗିଛି । ଏବେ ବାଙ୍ଗଲାଦେଶ ତରଫରୁ ଲଗାଯାଇଥିବା ନୂଆ ଅଭିଯୋଗ ଏହି ବିବାଦକୁ ଅଧିକ ବଢାଇବା ସମ୍ଭାବନା ସୃଷ୍ଟି କରୁଛି । ବାଙ୍ଗଲାଦେଶ ସରକାରୀ ସମାଚାର ଏଜେନ୍ସି ବିଏସଏସ କହିଛି କି, ଦେଶରୁ ରହସ୍ୟମୟ ଭାବା ଲୋକ ଗାଏବ ଘଟଣା ହେବା ପଛରେ ଭାରତର ଭୂମିକା ଉପରେ ବଡ ଖୁଲାସା କରୁଛି । ୟୁନୁସଙ୍କ ଯାଞ୍ଚ ଆୟୋଗର ରିପୋର୍ଟ ମୁତାବକ, ୩୫୦୦ରୁ ଅଧିକ ଲୋକ ଦେଶରୁ ନିଖୋଜ ହୋଇଥିବା ଅନୁମାନ କରାଯାଉଛି । କିଛି ଲୋକ ମଧ୍ୟ ଭାରତର ଜେଲରେ ବନ୍ଦୀ ହେବା ସମ୍ଭାବନା ସୃଷ୍ଟି କରୁଛି । ଏଥିସହ ସଂସ୍ଥା ଭାରତ, ବାଙ୍ଗଲାଦେଶ ମଧ୍ୟରେ କଏଦୀ ଅଦଳ-ବଦଳର ଗୁପ୍ତ ରିପୋର୍ଟର ମଧ୍ୟ ଉଲ୍ଳେଖ କରିଛି ।
ଏହି ଯାଞ୍ଚକାରୀ ଏଜେନ୍ସିର ଅଧ୍ୟକ୍ଷତା କରୁଛନ୍ତି ବାଙ୍ଗଲା ସୁପ୍ରିମ କୋର୍ଟର ଅବସରପ୍ରାପ୍ତ ଜଷ୍ଟିସ । ଏହି ରିପୋଟରେ ପ୍ରଥମ ମାମଲା ଭାବେ ସେଠାର ସୁପ୍ରିମ କୋର୍ଟ ପରିସରରୁ ନିଖୋଜ ହୋଇଥିବା ଶୁଙ୍କ୍ରଜନ ବାଲି ରହିଛନ୍ତି, ଯାହାଙ୍କୁ ପରବର୍ତ୍ତୀ ସମୟରେ ଭାରତୀୟ ଜେଲରୁ ମିଳିଥିଲା । ସେହିପରି ଦ୍ୱିତୀୟ ମାମଲାରେ ବିଏନପି ନେତା ସଲାହୁଦ୍ଦୀନ ଅହମଦ ରହିଛନ୍ତି, ତାଙ୍କର ବାଙ୍ଗଲାଦେଶ ପ୍ରତ୍ୟାର୍ପଣ ପ୍ରଣାଳି ଚାଲିଛି ।