‘ପୁଷ୍ପା ୨’ ଦଳାଚକଟା ମାମଲା; ଆଜି ହାଜର ହେବେ ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ: ବଢ଼ିଲା ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଡ଼ୁଆ । ଆଜି ଦିନ ୧୧ଟା ସୁଦ୍ଧା ହାଜର ହେବାକୁ ଚିକଡ଼ପଲ୍ଲୀ ପୋଲିସ ସୋମବାର ସମନ ଜାରି କରିଥିଲା । ‘ପୁଷ୍ପା ୨’ର ସ୍କ୍ରିନିଂ ବେଳେ ଦେଖାଦେଇଥିବା ଦଳାଚକଟାକୁ ନେଇ ଏହି ସମନ ଜାରି କରାଯାଇଥିବା କୁହାଯାଉଛି ।

ପୁଷ୍ପା ୨ ସ୍କ୍ରିନିଂ ସମୟରେ ଦଳାଚକଟାକୁ ନେଇ ତେଜୁଛି ବିବାଦ । ଅଭିନେତାଙ୍କ ଗିରଫ ଦାବିକୁ ନେଇ ଦେଖାଦେଇଛି ଜୋରଦାର ପ୍ରଦର୍ଶନ । ଗତ ଡିସେମ୍ବର ୪ ତାରିଖ ଦିନ ସନ୍ଧ୍ୟା ପ୍ରେକ୍ଷାଳୟରେ ‘ପୁଷ୍ପା ୨’ର ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନ ଆସିଥିବା ବେଳେ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା। ଭିଡ଼ ଅଧିକ ହେବାରୁ ଦଳଚକଟା ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୮ ବର୍ଷର ପୁଅ ୨୦ ଦିନ ହେଲାଣି କୋମାରେ ରହିଛନ୍ତି । ମୃତ ମହିଳାଙ୍କ ସ୍ୱାମୀଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୧୩ ତାରିଖରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିଥିଲା ପୋଲିସ । ଗୋଟିଏ ରାତି ଜେଲର ରହିବା ପରେ ତେଲଙ୍ଗାନା ହାଇକୋର୍ଟରୁ ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇ ଡିସେମ୍ବର ୧୪ରେ ସେ ମୁକୁଳିଥିଲେ । ଜେଲରୁ ମୁକୁଳିବା ପରେ ସେ କ୍ଷମା ପ୍ରାର୍ଥନା କରିଥିଲେ । ଅଲ୍ଲୁ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଦେଇଥିବା ବେଳେ ପୁଷ୍ପା-୨ ଫିଲ୍ମର ନିର୍ମାତା ଆଜି ମୃତ ମହିଳାଙ୍କ ସ୍ୱାମୀଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ଦେଇଥିଲେ । କହିରଖୁଛୁ କିଛି ଦିନ ପୂର୍ବରୁ ଏହି ମାମଲାକୁ ନେଇ ଅଲ୍ଲୁ ଅର୍ଜୁନଙ୍କ ଜୁବୁଲି ହିଲ୍ସ ବାସଭବନ ଉପରେ କିଛି ବିକ୍ଷୋଭକାରୀ ଆକ୍ରମଣ କରିଥିଲେ । ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ପରେ ହାଇଦ୍ରାବାଦ କୋର୍ଟ ସେମାନଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଏହି ଆକ୍ରମଣ ସମୟରେ ଅଭିନେତା ଘରେ ନଥିଲେ ।