ଓଡ଼ିଶା ଭାସ୍କର: ସାଧାରଣତଃ ଟ୍ରାଫିକ ନିୟମକୁ ନେଇ ଜନସାଧାରଣଙ୍କୁ ସବୁବେଳେ ସଚେତନ କରାଇଥାନ୍ତି ସରକାର । ସଡ଼କ ଦୁର୍ଘଟଣା ରୋକିବା ଏବଂ ଟ୍ରାଫିକ ନିୟମ ପାଳନ କରିବାକୁ ନେଇ ଜନତାଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା ଅଟେ ଏବଂ ଏଥିପାଇଁ ସେ ସବୁବେଳେ ତତ୍ପର ରହିଥାନ୍ତି । ଆଜିକାଲି ଟ୍ରାଫିକ୍ ନିୟମ ଉଲଂଘନକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି । ଏଥିମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଟ୍ରାଫିକ ନିୟମ ଉଲଂଘନ କରିଥିବା ସମୟରେ ପୋଲିସ ହାତରେ ଧରା ପଡ଼ିଥିଲେ । ଏଭଳି ଗମ୍ଭୀର ସ୍ଥିତିରେ ସେ ଲୋକପ୍ରିୟ କାର୍ଟୁନ ଚରିତ୍ର ‘ସିଞ୍ଚନ’ର ନକଲ କରିଥିଲେ ଯାହାକୁ ଦେଖି ଟ୍ରାଫିକ ପୋଲିସ ଆଶ୍ଚର୍ଯ୍ୟ ହୋଇଥିଲେ ।
ହରିୟାଣା ରୋହତକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ଟ୍ରାଫିକ ନିୟମର ଉଲଂଘନ କରିବା କାରଣରୁ ଟ୍ରାଫିକ ପୋଲିସ ତାଙ୍କୁ ଅଟକାଇଥିଲେ । ମହିଳା ଜଣଙ୍କ ବିନା ହେଲମେଟ, ବିନା ନମ୍ବର ପ୍ଲେଟରେ ବିପରିତ ଦିଗରେ ଗାଡ଼ି ଚଲାଇବା ଭଳି କାରନାମ କରିଥିଲେ । ନିଜ ଜୀବନ ପ୍ରତି ଏବଂ ଚାଲାଣ କଟିବାର ଭୟ ଥିବା ବ୍ୟକ୍ତି କେବେ ଏଭଳି କାର୍ଯ୍ୟ କରିନଥାଏ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏଭଳି ସ୍ଥିତିରେ ଉକ୍ତ ମହିଳା ଘାବରାଇ ନଥିଲେ । ସେ ଲୋକପ୍ରିୟ କାର୍ଟୁନ ଚରିତ୍ର ‘ସିଞ୍ଚନ’ର ମିମିକ୍ରି କରି କହିଥିଲେ, ‘ମୁଁ ସିଞ୍ଚନ ନୋହରା । ମୋତେ କେହି ନେଇ ପାରିବେ ନାହିଁ ।’ ଟ୍ରାଫିକ ନିୟମ ବିଷୟରେ ସଚେତନ କରିବା ସମୟରେ ମହିଳା ଜଣଙ୍କ ମଜାଳିଆ ଅନ୍ଦାଜରେ ଟ୍ରାଫିକ ପୋଲିସଙ୍କ କଥାର ଉତ୍ତର ଦେଉଥାନ୍ତି । ଶେଷରେ ମହିଳା ଜଣଙ୍କୁ ବିନା ଜରିମାନାରେ ଛାଡ଼ିଦେବା ପାଇଁ ଜଣେ ପଥଚାରୀ ଟ୍ରାଫିକ ପୋଲିସକୁ ଅନୁରୋଧ କରିଥିଲେ । ଅପରପକ୍ଷରେ ଟ୍ରାଫିକ ପୋଲିସଙ୍କ ସଂଯମ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିଥିଲେ । ଏହି ଭାଇରାଲ ଭିଡିଓକୁ ଇନଷ୍ଟାଗ୍ରାମରେ ଜଣାଶୁଣା ଡିଜିଟାଲ କ୍ରିଏଟର ଟ୍ରାଫିକ୍ ପୋଲିସ ଅଧିକାରୀ ଅମର କଟାରିଆ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
View this post on Instagram