ଭୁବନେଶ୍ୱରରୁ ନୟାଗଡ଼, ଜାଣନ୍ତୁ କେମିତି ତିନି ଅଭିଯୁକ୍ତଙ୍କୁ ଧରିଲା ପଲିସ

ଭୁବନେଶ୍ୱର: ବୁଧବାର ସକାଳ ପ୍ରାୟ ୮ ଟା ସମୟରେ ରସୁଲଗଡ଼ ଓଭର ବ୍ରିଜ ଉପରେ ପୋଲିସ ମିତ୍ର ସହଦେବଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ଦୁଇ ଅଭିଯୁକ୍ତ ପଳାଇଥିଲେ ନୟାଗଡ଼। ତେବେ ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଏହି ହତ୍ୟା କରିଥିବା ଜଣାପଡିଛି। କାରଣ ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ କେଉଁଠି ବି କ୍ୟାମେରା ନ ଥିଲା। ଭାବିଥିଲେ ହତ୍ୟା କରି ଖସିଯିବେ।

ତେବେ ସହଦେବଙ୍କୁ ହତ୍ୟା କଲାବେଳେ ରାଜପଥରେ ବହୁ ଲୋକ ଯା’ଆସ କରୁଥିଲେ। ଅନେକ ଲୋକ ଏଭଳି ଜଘନ୍ଯ ହତ୍ୟାକାଣ୍ଡ ଦେଖୁଥିଲେ ହେଁ ରକ୍ତମୁଖା ହତ୍ୟାକାରୀଙ୍କୁ ମୁକାବିଲା କରିବାକୁ ସାହସ ଜୁଟାଇ ପାରିନଥିଲେ । କିନ୍ତୁ ସେମାନେ ବାଇକ୍‌ରେ ପଳାଉଥିବା ବେଳେ ଜଣେ ମୋବାଇଲ୍‌ରେ ରେକର୍ଡିଂ କରିଥିଲେ। ଫଳରେ ହତ୍ୟାରେ ବ୍ୟବହୃତ ଖଣ୍ଡାକୁ ଏକ ଜରି ଅଖାରେ ପୂରାଇ ଲକ୍ଷ୍ମୀଧର ଓ ରକି ପଳାଉଥିବା ବେଳର )ର ଦୃଶ୍ୟ ମୋବାଇଲ୍‌ରେ କଏଦ ହୋଇଥିଲା। ସେହି ଚିତ୍ରରୁ ସେମାନଙ୍କ ବାଇକ୍ ନମ୍ବର ଓଆର୍-୧୯-ଜେ-୭୦୨୬ ଜଣାପଡ଼ିଯାଇଥିଲା । ପୁଲିସ ଉକ୍ତ ବାଇକ୍ ନମ୍ବରକୁ ପିଛା କରି ସେମାନଙ୍କୁ ନୟାଗଡ଼ ଶରଣକୂଳରୁ ଉଠାଇଥିଲା।

ରିପୋର୍ଟ ଅନୁଯାୟୀ ତିନି ଅଭିଯୁକ୍ତ ସହଦେବଙ୍କୁ ହତ୍ୟା କରିବାକୁ ପୂର୍ବରୁ ଧମକ ଦେଇଥିଲେ। ଦିନେ କହିଥିଲେ ‘ପୋଲିସ ବଳରେ ଦାଦାଗିରି କରୁଛୁ ତ! କିନ୍ତୁ ମନେରଖ ପୋଲିସ ତୋତେ ବଞ୍ଚାଇପାରିବନି। କୋଉ ପୋଲିସ ବୋପା ତୋ ପିଠିରେ ପଡ଼ିବ, ଆମେ ଦେଖିବୁ। ଯେଉଁ ପୋଲିସ ବଳରେ ଆମ ଦାନାପାଣି ମାରୁଛୁ, ସେହି ପୋଲିସ ଥାନା ଦୁଆରେ ତୋ କଟାମୁଣ୍ଡକୁ ଥୋଇଦେବୁ।” ପୋଲିସ ମିତ୍ର ସହଦେବଙ୍କୁ ଏଭଳି ଧମକ ଦେଇଥିଲେ ଅଭିଯୁକ୍ତ। ଆଉ ସତ ସତିକା ମୁଣ୍ଡ କାଟିଦେଲେ।