ମହାକୁମ୍ଭରେ ବାବାଙ୍କ ସୁନା ବେଶ; ଲୋକେ ଦେଖି ଚକିତ, ବାବା କହିଲେ ଏହା ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ
ସଙ୍ଗମ ନଗରୀ ପ୍ରୟାଗରାଜରେ ସାଧୁସନ୍ଥଙ୍କ ନିଆରା ରୂପ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛିା ଏଥିମଧ୍ୟରୁ ଜଣେ ହେଉଛନ୍ତି ‘ଗୋଲ୍ଡେନ୍ ବାବା’ । ଜଣେ ବୈରାଗୀ ହୋଇ ମଧ୍ୟ ୬ କିଲୋ ସୁନାରେ ଝଲସୁଛନ୍ତି।
ପ୍ରୟାଗରାଜ: ମହାକୁମ୍ଭରେ ‘ଗୋଲ୍ଡେନ୍ ବାବା’ଙ୍କୁ ନେଇ ଏବେ ଚର୍ଚ୍ଚା । ଜଣେ ବୈରାଗୀ ହୋଇଥିଲେ ମଧ୍ୟ ସୁନାରେ ଛାଉଣୀ ହୋଇଥିବା ଏହି ବାବା ବର୍ତ୍ତମାନ ଅକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।
ତାଙ୍କ ନିଆରା ବେଶ ଆଧ୍ୟାତ୍ମ ଏବଂ ଭକ୍ତିର ସନ୍ଦେଶ ପ୍ରଦାନ କରୁଛି ।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବଢ଼ିଚାଲିଥିବା ସୁନା ମୂଲ୍ୟ ସାଧାରଣ ଗୃହସ୍ଥଙ୍କ ପାଇଁ ଅପହଞ୍ଚ ହୋଇସାରିଛି କିନ୍ତୁ ସଂସାର ତ୍ୟାଗ କରିଥିବା ବୈରାଗୀଙ୍କ ସୁନା ମୋହ ଛାଡ଼ିନି ।
ଯାହା ସାଧାରଣ ଲୋକଙ୍କୁ ତାଜୁବ୍ କରିଛି ।
କିଏ ଏହି ବାବା?
ଏଭଳି ଜଣେ ନିଆରା ସନ୍ୟାସୀ ହେଉଛନ୍ତି କେରଳର ସ୍ୱାମୀ ମହାମଣ୍ଡଲେଶ୍ୱର ନାରାୟଣ ନନ୍ଦ ଗିରି ମହାରାଜ ।
୬୭ ବର୍ଷୀୟ ଗୋଲ୍ଡେନ୍ ବାବା ଆଖଡ଼ାର ଅଧ୍ୟକ୍ଷ ରବିନ୍ଦ୍ର ପୁରି ମହାରାଜଙ୍କ ଠାରୁ ଦୀକ୍ଷା ନେଇଥିଲେ ଏବଂ ନିରଞ୍ଜନୀ ଆଖଡ଼ାରେ ସାମିଲ ହୋଇଥିଲେ ।
ସୁନା ଅଳଙ୍କାର: ଏହି ଗୋଲ୍ଡେନ୍ ବାବା ପ୍ରାୟ ୬ କିଲୋ ସୁନା ଅଳଙ୍କାର ପିନ୍ଧିଛନ୍ତି । ସେଥିମଧ୍ୟରୁ ସୁନା ଅଙ୍ଗୁଠି, ଚୁଡ଼ି, ଘଡ଼ି, ବ୍ରେସଲେଟ୍, ଦେବୀ ଦେବତାଙ୍କ ଲକେଟ୍ ସାମିଲ ଅଛି ।
ସେ ସୁନାରେ ତିଆରି ଏକ ବଡ଼ ଶ୍ରୀଯନ୍ତ୍ର ମଧ୍ୟ ପିନ୍ଧିଛନ୍ତି ।
ସେ ପିନ୍ଧୁିଥିବା ଅଳଙ୍କାର ନଟରାଜ, ନରସିଂହ, ମୁରୁଗନ୍, ଭଦ୍ରକାଳୀ ଇତ୍ୟାଦୀ ହିନ୍ଦୁ ଦେବାଦେବୀଙ୍କୁ ସମର୍ପିତ ବୋଲି କୁହନ୍ତି ।
ଏହା ବାଦ୍ ତାଙ୍କ ଅଳଙ୍କାର ମଧ୍ୟରେ ରୁଦ୍ରାକ୍ଷ, କୋରାଲ, କ୍ରିଷ୍ଟାଲ ସହ ମୂଲ୍ୟବାନ ପଥର ଯେପରି ରୁବି, ସାଫାୟାର ଏବଂ ଏମେରାଲ୍ଡ ସାମିଲ ରହିଛି ।
କ’ଣ କୁହନ୍ତି ବାବା?
ବାବାଙ୍କ କହିବାନୁଯାୟୀ ଏହି ସୁନା ସାଧନା ସହ ଜଡ଼ିତ । ପ୍ରତି ଗହଣାରେ ଆଧ୍ୟାତ୍ମିକ ଶକ୍ତି ରହିଛି ।
ସୁନା ଅଳଙ୍କାରରେ ସଜେଇ ହୋଇଥିବା ଏହି ବେଶ ଲୋକ ଦେଖାଣିଆ ନୁହେଁ ।
ବରଂ ଏହା ତାଙ୍କ ଆଧ୍ୟାତ୍ମିକ ଜୀବନ ଏବଂ ତାଙ୍କ ଗୁରୁଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ ।
ବର୍ତ୍ତମାନ ବାବା ଶିକ୍ଷା କ୍ଷେତ୍ରରେ କାମ କରୁଛନ୍ତି ।
ତାଙ୍କ କହିବାନୁଯାୟୀ ଧର୍ମ ଏବଂ ଶିକ୍ଷା ଉଭୟକୁ ଏକାଠି ନେଇ ଚାଲିଲେ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିହେବ ।
ବାବାଙ୍କୁ ଦେଖିବା ପାଇଁ ଭିଡ଼: ମହାକୁମ୍ଭରେ ଆଇଆଇଟି ବାବା, ଅନୋଖା ବାବା, ସାଧବୀ ହର୍ଷା, ହାତ ଟେକା ବାବା ଭଳି ଅନେକ ମହାକୁମ୍ଭରେ ଲୋକପ୍ରିୟତା ଅର୍ଜନ କରିଛନ୍ତି ।
ସେମାନେ ଯେଉଁଠି ବି ଯାଆନ୍ତି ତାଙ୍କୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥାଏ ।