ଆମେରିକାରେ ବ୍ୟାନ ହେଲା TikTok, ସୁପ୍ରିମକୋର୍ଟ ଶୁଣାଇଲେ ନିଷ୍ପତ୍ତି
ଭାରତ ପରେ ଏବେ ଆମେରିକାରେ ମଧ୍ୟ ବ୍ୟାନ ହେଲା ଟିକଟକ୍ ।
ନୂଆଦିଲ୍ଲୀ: ଆମେରିକାର ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏକ ରାୟ ଶୁଣାଇଛନ୍ତି । ସର୍ଟ ଭିଡିଓ ଆପ୍ ଟିକଟକ୍ ଉପରେ ପ୍ରତିବନ୍ଧକକୁ ସମର୍ଥନ କରିଛନ୍ତି । ଏହି ପ୍ରତିବନ୍ଧକ ଯୋଗୁଁ ଆପ୍ ମାତ୍ର ଦୁଇ ଦିନ ମଧ୍ୟରେ ବନ୍ଦ ହୋଇଯିବ ବୋଲି କୁହାଯାଇଛି । ଏହା ମନୋରଞ୍ଜନ, ଇ-କମର୍ସ ଏବଂ ବିଜ୍ଞାପନ ପାଇଁ ଏହି ପ୍ଲାଟଫର୍ମ ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ପ୍ରଭାବିତ କରିବ ।
କୋର୍ଟ ଟିକଟକର ମୂଳ କମ୍ପାନୀ ବାଇଟ୍ ଡ୍ୟାନ୍ସ ଜାନୁଆରୀ 19 ସୁଦ୍ଧା ଅଣ-ଚାଇନିଜ୍ କ୍ରେତାଙ୍କୁ ଏହି ଛୋଟ ଭିଡିଓ ଆପ୍ ବିକ୍ରୟ କରିବାକୁ କିମ୍ବା ଆମେରିକାରେ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି କୁହାଯାଇଛି ।
ଏହାର ଅର୍ଥ ହେଉଛି ଆମେରିକାରେ ୧୭୦ ନିୟୁତ ଲୋକ ବ୍ୟବହାର କରୁଥିବା TikTok ଆଜିଠାରୁ ପ୍ଲେ ଷ୍ଟୋରରେ ଉପଲବ୍ଧ ହେବ ନାହିଁ । ତେବେ ଏହି ପ୍ରତିବନ୍ଧକ କେତେ ଦିନ ପର୍ଯ୍ୟନ୍ତ ରହିବ ତାହା ବର୍ତ୍ତମାନ ସୁଦ୍ଧା ଘୋଷଣା କରାଯାଇ ନାହିଁ ।
କାରଣ ସୋମବାର ଦିନ ନବନିର୍ବାଚିତ ରାଷ୍ଚ୍ରପତି ଡୋନାଲ୍ଡ ଟ୍ରମ୍ପ ପଦଭାର ଗ୍ରହଣ କରିବେ । ସେ କହିଛନ୍ତି ଯେ, ଆପକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଏହି ସମସ୍ୟା ସହିତ ଲଢ଼ିବେ। ଏହାର ଏକ ସମାଧାନ ବାହାର କରିବା ପାଇଁ ସେ ଚେଷ୍ଚା ଜାରି ରଖିବେ ବୋଲି କହିଛନ୍ତି । ତେବେ କହିରଖୁଛୁ କି, ପୂର୍ବରୁ ଏହା ଭାରତରେ ବ୍ୟାନ କରାଯାଇଛି ।
ଅନେକ ଦେଶ ବିଶ୍ୱାସ କରନ୍ତି ଯେ ଟିକଟକ ଏକ ଚାଇନିଜ୍ କମ୍ପାନୀ ହୋଇଥିବାରୁ ୟୁଜର୍ସଙ୍କ ଡାଟା ଚାଇନା ସରକାରଙ୍କ ସହ ସେୟାର କରିପାରିବ । ତେଣୁ ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି ।