ବ୍ରହ୍ମାଙ୍କ ଯଜ୍ଞ କୁଣ୍ଡରୁ ବିରଜାଙ୍କ ଜନ୍ମ, ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମା’ ବିରଜା ।

ତ୍ରିବେଣୀ ଅମାବାସ୍ୟାରେ ମା’ ହୋଇଥିଲେ ଆର୍ବିଭାବ । ପୀଠରେ ମା’ ବିରଜାଙ୍କ ଦର୍ଶନ କଲେ ମିଳେ କୋଟିପୁଣ୍ୟ ।

ଯାଜପୁର:ଆଜି ଯାଜପୁରର ପ୍ରତ୍ୟେକ୍ଷଦେବୀ ମା’ ବୀରଜାଙ୍କ ସ୍ୱନକ୍ଷତ୍ର । ଆଜିର ଦିନରେ ମା’ ବିରଜା ସାବିତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଜନ୍ମୋତ୍ସବ ପାଇଁ ସକାଳୁ ସକାଳୁ ବିରଜା ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି ।

ଏହି ବିଶେଷ ଦିନରେ ମା’ଙ୍କ ସମସ୍ତ ରୀତିନୀତି ପାରମ୍ପରିକ ଶୈଳୀରେ କରାଯାଇଥିବାବେଳେ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରକୁ ଫୁଲ ଓ ଆଲୋକମାଳାରେ ସଜା ଯାଇଛି ।

ଭକ୍ତଙ୍କ ଭିଡ଼: ବ୍ରହ୍ମ ମୁହୂର୍ତ୍ତରେ ଦେବୀଙ୍କ ନିତ୍ୟ ସ୍ନାନ ପରେ ଚନ୍ଦନ ବେଶ, ସାବିତ୍ରୀ ବେଶ ଓ ଅଳଙ୍କାର ବେଶ ଅନୁଷ୍ଠିତ ହେବ । ଏହାପରେ ସିଂହାସନ ଉପରେ ମା’ଙ୍କ ଷୋଡ଼ଶ ଉପଚାର ପୂଜାବିଧି ଆରମ୍ଭ କରାଯିବ । ମା’ଙ୍କ ସାବିତ୍ରୀ ବେଶ ପରେ ସ୍ୱତନ୍ତ୍ର ନୀତି ଲାଗି କରାଯିବା ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ ।

ଶେଷରେ ପୂର୍ଣ୍ଣାହୁତି , ଆରତୀ ଓ ଘଟ ବିସର୍ଜନ କରାଯିବ । ପୀଠରେ ଭକ୍ତଙ୍କ ଭିଡ଼ କହିଲେ ନ ସରେ । ସୁରକ୍ଷାକୁ ଦୃଷ୍ଟିରେ ରଖି ପୀଠରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅଗ୍ନିକୁଣ୍ଡରୁ ଜନ୍ମ: ଅଭିଷାପରୁ ମୁକ୍ତି ପାଇବା ପାଇଁ ବ୍ରହ୍ମା ବୈତରଣୀ ନଦୀ କୂଳରେ ଯଜ୍ଞ କରୁଥିବାବେଳେ ଯଜ୍ଞ ଅଗ୍ନିରୁ ଆର୍ବିଭାବ ହୋଇଥିଲେ ମା’ ବିରଜା । ଦ୍ୱିଭୁଜା ଭାବେ ଦେବୀ ପୀଠରେ ପୂଜା ପାଉଛନ୍ତି । ଗୋଟିଏ ହାତରେ ତ୍ରିଶୁଳ ଓ ଅନ୍ୟ ବାଘ ବେଶରେ ଆସିଥିବା ମହିଷାଶୁର ଲାଞ୍ଜକୁ ଧରିଛନ୍ତି । ହେଲେ ଗର୍ଭଗୃହରେ ମା’ଙ୍କ ମୁଖ ହିଁ ଦୃଶ୍ୟମାନ ହୁଏ ଯାହାକୁ ଭକ୍ତ ଦେଖି ସାନିଧ୍ୟ ଲାଭ କରନ୍ତି ।