କଂଗ୍ରେସକୁ ମିଳିବ ସୁର ରାଉତରାୟଙ୍କ ଶକ୍ତି, ଦିଲ୍ଲୀ ନିର୍ବାଚନ ପରେ ପିସିସ ସଭାପତି ଘୋଷଣା

ଭୁବନେଶ୍ୱର: ଦିଲ୍ଲୀ ନିର୍ବାଚନ ପରେ ପିସିସି ସଭାପତିଙ୍କ ନାଁ ଘୋଷଣା କରିବେ ହାଇକମାଣ୍ଡ। ପୂର୍ବରୁ ଏଆଇସିସି ଦ୍ଵାରା ନିଯୁକ୍ତ ଦୁଇ ପର୍ଯ୍ୟବେକ୍ଷକ ସେମାନଙ୍କ ରିପୋର୍ଟ ଦେଇ ସାରିଛନ୍ତି। ଏବେ ଦିଲ୍ମ ଦିଲ୍ଲୀ ନିର୍ବାଚନ ପାଇଁ ଏଆଇସିସି ନେତାମାନେ ବ୍ୟସ୍ତ ଅଛନ୍ତି। କଂଗ୍ରେସର ତୃଣମୂଳ ସ୍ତରରୁ ରାଜ୍ୟ ନେତୃତ୍ୱ ଯାଏ ନବକଳେବର ହେବ। କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ଏହି ସୂଚନା ଦେଇଛନ୍ତି।

ଉଲେଖାଯୋଗ୍ୟ, 6 ମାସ ହେବ କେବଳ ପିସିସି ସଭାପତି ନୁହେ, ପ୍ରଦେଶ କଂଗ୍ରେସ କମିଟି ସମେତ ରାଜ୍ୟ ମହିଳା କଂଗ୍ରେସ କମିଟି, ଯୁବ କଂଗ୍ରେସ କମିଟିକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଅନ୍ୟପକ୍ଷରେ କଂଗ୍ରେସକୁ ପୁଣି ଫେରିବେ ଜଟଣୀର ପୂର୍ବତନ ବିଧୟକ ସୁରେଶ କୁମାର ରାଉତରାୟ। ସୁର କହିଛନ୍ତି, ରାହୁଲ ଗାନ୍ଧିଙ୍କ ଘନିଷ୍ଠ ତାଙ୍କୁ ଡାକିଛନ୍ତି। ତାଙ୍କୁ ଲେଖୁକି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିଛି ନେତା ତାଙ୍କୁ କଂଗ୍ରେସକୁ ଫେରାଇ ନେବାକୁ ପ୍ରୟାସ କରୁଛନ୍ତି ବୋଲି ସୁର ସୂଚନା ଦେଇଛନ୍ତି।

୨୪ ବର୍ଷ ହେଲା ରାଜ୍ୟରେ କ୍ଷମତା ଠାରୁ ଦୂରେଇ ରହିଛି କଂଗ୍ରେସ। ମାସ ମାସ ଧରି ପିସିସି ସଭାପତି ସହ ଅନ୍ୟ ପ୍ରମୁଖ ପଦ ଫାଙ୍କା ପଡିଛି। ରାଜ୍ୟସ୍ତରଠାରୁ ଆରମ୍ଭ କରି ଜିଲ୍ଲାସ୍ତର ଯାଏଁ ଦଳୀୟ ନେତାଙ୍କର ଶିଥିଳ ପଡିଗଲାଣି ସ୍ବର। ବିଭିନ୍ନ ପ୍ରସଙ୍ଗରେ କିଛି ଛାତ୍ର ଓ ଯୁବ କଂଗ୍ରେସର କର୍ମୀ ରାସ୍ତାକୁ ଓହ୍ଲାଉଥିବା ବେଳେ ଦଳର ବରିଷ୍ଠ ନେତା ସାମ୍ନାକୁ ଆସିବାକୁ ସହଜ ଅନୁଭବ କରୁନାହାନ୍ତି। ଘରେ ବସି ଦଳର ଅଧୋପତନକୁ ଅନୁଭବ କରୁଛନ୍ତି କିନ୍ତୁ ଦାୟିତ୍ବ ନେବାକୁ ପଛଘୁଞ୍ଚା ଦେଉଛନ୍ତି।

ସୂଚନାଯୋଗ୍ୟ ଯେ, ଓଡିଶା ରାଜନୀତିର ଚିତ୍ର ବଦଳିବା ପରେ ନିଜ ନିଜର ସଙ୍ଗଠନକୁ ମଜବୁତ କରିବାରେ ଲାଗିଛନ୍ତି ବିଜେପି ଓ ବିଜେଡି। ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ଦଳରେ ଦଳର କଳେବରକୁ ବଢ଼ାଉଛନ୍ତି। ହେଲେ, ରାଜ୍ୟରେ କଂଗ୍ରେସ ସବୁ ଦଳୀୟ କାର୍ଯ୍ୟ ଛାଡି ମୁଖିଆ ଅପେକ୍ଷାରେ ଏଆଇସିସି ନିଷ୍ପତିକୁ ଚାହିଁ ବସିଛି।