ହାତରେ ଲାଗିଛି ସାଲାଇନ୍, ଜାରି ରହିଛି ରୋଗୀ ସେବା, ଡ଼ାକ୍ତର ହେବ ତ ଏମିତି

ନିଜେ ରୋଗରେ ପଡ଼ି ମଧ୍ୟ ଭୁଲିନାହାନ୍ତି ନିଜ କର୍ତ୍ତବ୍ୟ। ଡାକ୍ତର ବାବୁଙ୍କର ହାତରେ ସାଲାଇନ ଲାଗିଛି। କିନ୍ତୁ ଡାକ୍ତରଖାନାରେ ବସି ନିଜେ ରୋଗୀ ସେବା କରୁଛନ୍ତି।

ଗଜପତି: ହାତରେ ଲାଗିଛି ସାଲାଇନ୍, ହେଲେ ନିଜ କର୍ତ୍ତବ୍ୟରୁ ଓହରି ଯାଇନାହାନ୍ତି ଡ଼ାକ୍ତର। ନିଜେ ରୋଗୀ ହୋଇ ମଧ୍ୟ ରୋଗୀଙ୍କ ସେବା କରିବାରେ ତିଳେ ହେଲେ ଅବହେଳା କରିନାହାନ୍ତି। ତେଣୁ ଏବେ ତାଙ୍କୁ ସମସ୍ତେ କହୁଛନ୍ତି ଡ଼ାକ୍ତର ହେବ ତ ଏମିତି।

ହଁ ଆଜ୍ଞା କିଏ କହିଲା ଆଜିର ଦୁନିଆରେ ମଣିଷ ପଣିଆ ମରିଯାଇଛି। ଯଦି ଗଜପତିର ଡ଼ାକ୍ତର ବ୍ରଜରାଜଙ୍କ କଥା ଦେଖିବା ଏହି କଥାକୁ ସେ ଭୁଲ ସାବ୍ୟସ୍ତ କରିଛନ୍ତି। ନିଜେ ରୋଗାଗ୍ରସ୍ତ ହୋଇ ମଧ୍ୟ ରୋଗୀଙ୍କ ଚିକିତ୍ସାରେ ଟିକେ ହେଲେ ବି ଅବହେଳା କରିନାହାନ୍ତି।

ଡ଼ାକ୍ତର ହେବ ତ ଏମିତି: ଗଜପତି ଜିଲ୍ଲା ରାମଗିରି ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଘଟଣା। ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ରହିଛନ୍ତି ଏକମାତ୍ର ଡାକ୍ତର ବ୍ରଜରାଜ କର। ହେଲେ ଏବେ ସେ ନିଜେ ଅସୁସ୍ଥ ଅଛନ୍ତି।

ଗଳା ସଂକ୍ରମଣ ହୋଇଥିବାରୁ ଭଲରେ କଥା ହୋଇପାରୁ ନାହାନ୍ତି। ତେଣୁ ତାଙ୍କ ହାତରେ ସାଲାଇନ୍ ଲାଗିଛି। ହେଲେ ସେ ନିଜ କର୍ତ୍ତବ୍ୟରୁ ପଛଘୁଞ୍ଚା ଦେଇନାହାନ୍ତି। ଜଣେ ଡାକ୍ତରର ପ୍ରଥମ କର୍ତ୍ତବ୍ୟ ହେଉଛି ରୋଗୀର ସେବା କରିବା।

ସେଥିପାଇଁ ତ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ଆଉ ଏହି କଥାର ଉପଯୁକ୍ତ ଉଦାହରଣ ହେଉଛନ୍ତି ଡାକ୍ତର ବ୍ରଜରାଜ। ସେ ନିଜେ ରୋଗରେ ପଡ଼ିଛନ୍ତି ହେଲେ ହାତରେ ସାଲାଇନ୍ ଲଗାଇ ରୋଗୀ ସେବା କରୁଛନ୍ତି।

ଡାକ୍ତରଙ୍କ ମହାନତା: ଗତ ଦୁଇ ଦିନ ହେବ ବ୍ରଜରାଜଙ୍କ ଦେହ ଅସୁସ୍ଥ ଥିଲା। ତେଣୁ ସେ ନିଜ କ୍ୱାଟରରେ ଚିକିତ୍ସିତ ହେଉଥିଲେ। ଯେହେତୁ ସେ  ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଏକମାତ୍ର ଡାକ୍ତର, ତେଣୁ ସେପଟେ ଡାକ୍ତରଖାନା ଆସି ରୋଗୀ ଫେରିଯାଉଥିଲେ।

ଆଉ ଯେତେବେଳେ ବ୍ରଜରାଜ ଜାଣିବାକୁ ପାଇଥିଲେ କି ୫୦-୬୦ ଜଣ ରୋଗୀ ଡାକ୍ତରଖାନା ଆସି ଫେରିଯାଉଛନ୍ତି। ସେତେବେଳେ ସେ ନିଜ ଦେହ କଥା ଭୁଲି ରୋଗୀଙ୍କ କଥା ଚିନ୍ତା କରିଥିଲେ।

ଆଉ ତୁରନ୍ତ ମେଡିକାଲ ଆସି ରୋଗୀ ଦେଖିବା ଆରମ୍ଭ କରିଦେଇଥିଲେ। ତାଙ୍କ ହାତରେ ସାଲାଇନ ଲାଗିଥିଲା ସତ, କିନ୍ତୁ ସେ ନିଜ କର୍ତ୍ତବ୍ୟରେ ଟିକେ ହେଲେ ବି ଅବହେଳା କରିନଥିଲେ।

ଯାହାକୁ ଦେଖି ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ସମସ୍ତଙ୍କ ଓଠରେ ଗୋଟିଏ କଥା ଡାକ୍ତର ହେବ ତ ବ୍ରଜରାଜଙ୍କ ପରି।