ମାଆ ଛେଉଣ୍ଡ ହେଲା ପାଞ୍ଚ ବର୍ଷର ଝିଅ, ପାରିବାରିକ କଳହରୁ ଜୀବନ ହାରିଲେ ମହିଳା

ପାରିବାରିକ କଳହ ସାଜିଲା କାଳ । ବେକରେ ଲୁଗା ଦେଇ ଝୁଲି ପଡ଼ିଲେ ମହିଳା।

ଗଞ୍ଜାମ: ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲେ ମହିଳା । ମାଆକୁ ଝୁରୁଛି ପାଞ୍ଚ ବର୍ଷର ଝିଅ ।

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରସାଦ ଥାନା ମେଣ୍ଟପୁର ଗ୍ରାମରେ ।

ମାମଲା କ’ଣ: ଜଗନ୍ନାଥପ୍ରସାଦ ଥାନା ମେଣ୍ଟପୁର ଗ୍ରାମରେ ସୋମବାର ସନ୍ଧ୍ୟାରେ ଜଣେ ମହିଳା ଅତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ଜଣଙ୍କ ହେଲେ ଲିପି ଗୌଡ଼(୨୫) ।

ଗାଙ୍ଗପୁର ଥାନା ଅଧୀନ ପାଲାକଷଣ୍ଢା ଗ୍ରାମର ସ୍ୱର୍ଗତ ଦୋଳିଆ ଗୌଡ଼ଙ୍କ ଝିଅ ଲିପି ସାତବର୍ଷ ପୂର୍ବେ ମେଣ୍ଟପୁର ଗ୍ରାମର କଂଗ୍ରେସ ଗୌଡ଼ଙ୍କ ପୁଅ ମଞ୍ଚେଶଙ୍କୁ ବିବାହ କରିଥିଲେ ।

ସ୍ୱାମୀ ମଞ୍ଚେଶ ଭୁବନେଶ୍ୱରରେ ଟ୍ରକ ଚଳାଉଥିବା ବେଳେ ଲିପି ତାଙ୍କ ପାଞ୍ଚବର୍ଷର ଝିଅଟିକୁ ଧରି ମେଣ୍ଟପୁର ଗ୍ରାମରେ ରହୁଥିଲେ ।

ଘରୋଇ ଅଶାନ୍ତିକୁ ନେଇ କିଛି ଦିନ ହେବ ମଞ୍ଚେଶ ନିଜ ଗ୍ରାମ ମେଣ୍ଟାପୁରକୁ ଆସୁନଥିଲେ । ଲିପି ସୋମବାର ଝିଅଟିକୁ ଅଙ୍ଗନୱାଡି କେନ୍ଦ୍ରକୁ ପଠାଇଦେଇ ଘରର ଦୁଇ ପଟୁ କବାଟ ଦେଇଥିଲେ । ଘରେ କେହି ନଥିବା ବେଳେ ମାନସିକ ଭାରସାମ୍ୟ ହରାଇ ଘର ଭିତରେ କାଠ ଦୁଲାରେ ବେକରେ ଲୁଗାବାନ୍ଧି ଝୁଲି ପଡ଼ି ଜୀବନ ହାରିଦେଇଥିବା ସୂଚନାରୁ ପ୍ରକାଶ ।

ସ୍ଥାନୀୟ ପୋଲିସକୁ ଖବର: ଅଙ୍ଗନୱାଡି କେନ୍ଦ୍ରରୁ ଫେରି ଝିଅଟି କବାଟ ବାଡ଼େଇ ଡାକିଥିଲା କିନ୍ତୁ ଲିପି କବାଟ ଖୋଲି ନଥିଲେ । ପରେ ସାହି ପଡ଼ିଶା ଆସି ଡାକିବା ପରେ ମଧ୍ୟ ଭିତରୁ କୌଣସି ଉତ୍ତର ପାଇନଥିଲେ ।

ଶେଷରେ ବାରିପଟ କବାଟ ଫାଙ୍କରୁ ଘର ଭିତରେ ଲିପିର ମୃତ ଦେହ ଝୁଲି ରହିଥିବା ଦେଖିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲିପରି ସ୍ୱାମୀ ଓ ବାପଘର ଲୋକଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରିଥିଲେ ।

ସ୍ୱାମୀ ମଞ୍ଚେଶ, ମାଆ ରୀନା ଓ ସାନଭାଇ ଗଣେଶ ବିଳମ୍ବିତ ରାତିରେ ଗାଁରେ ପହଞ୍ଚିଥିଲେ । ବାପଘର ପକ୍ଷରୁ କୌଣସି ଲିଖିତ ଅଭିଯୋଗ ଦେବାପାଇଁ ରାଜିନହେବାରୁ ସ୍ୱାମୀ ମଞ୍ଚେଶଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ୨/୨୫ ରେ ରୁଜୁ କରିଥିଲେ ।

ମୃତ ଦେହ ଜବତ: ଅତିରିକ୍ତ ତହସିଲଦାର ମୋହନ ମଲିକଙ୍କ ଉପସ୍ଥିତରେ ଭଞ୍ଜନଗର ଉପଖଣ୍ଡ ଅଧିକାରୀ ସୁଜିତ କୁମାର ନାୟକ,ଥାନା ଅଧିକାରୀ ଅରୁଣ କୁମାର ସିଂ ଗ୍ରାମବାସୀଙ୍କ ସହାୟତାରେ ସାବଳରେ କବାଟ ତାଡ଼ି ଲିପିର ମୃତ ଶରୀରକୁ ଜବତ କରିଥିଲେ ।

ଏହା ସହିତ ଶବ ବ୍ୟବେଚ୍ଛେଦ ପାଇଁ ଭଞ୍ଜନଗର ଉପଖଣ୍ଡକୁ ପଠାଯାଇଥିବା ତଦନ୍ତକାରି ଅଫିସର ପ୍ରଭାତ କୁମାର ସୁବୁଦ୍ଧି ସୂଚନା ଦେଇଥିଲେ ।