ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୋନୁ ସୁଦଙ୍କ ନାଁରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ । ପଞ୍ଜାବ ସ୍ଥିତ ଲୁଧିଆନା ଆଦାଲତ ଠକେଇ ସହ ଜଡ଼ିତ ଏକ ମାମଲାରେ ସୋନୁଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରି କରିଛି ।
ଲୁଧିଆନା ଜୁଡିସିଆଲ ମାଜିଷ୍ଟ୍ରଟ୍ ରମଣପ୍ରୀତ କୌର ଏହି ୱାରେଣ୍ଟ ଜାରି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧୦ରେ ଅନୁଷ୍ଠିତ ହେବ ।
ମାମଲା କ’ଣ: ଏହି ମାମଲା ଲୁଧିଆନାର ଜଣେ ଓକିଲ ରାଜେଶ ଖାନ୍ନାଙ୍କ ଠକେଇ ଅଭିଯୋଗ ସହ ଜଡ଼ିତ । ତାଙ୍କ ଅଭିଯୋଗ ଅନୁଯାୟୀ ମୋହିତ ଶୁକ୍ଳା ନାମକ ଜଣେ ବ୍ୟକ୍ତି ‘ରିଜିକା’ କଏନ୍ ରେ ନିବେଶ କରିବାକୁ ପ୍ରଲୋଭିତ କରାଇ ୧୦ ଲକ୍ଷ ଟଙ୍କା ଠକି ନେଇଥିଲେ ।
ଏହି ମାମଲାରେ ସୋନୁଙ୍କୁ ସାକ୍ଷ୍ୟ ଦେବାକୁ କୁହାଯାଇଥିଲା । କିନ୍ତୁ ସମନ ପରେ ମଧ୍ୟ ସୋନୁ ଅଦାଲତ ପହଞ୍ଚିନଥିଲେ ।
ଗିରଫ ନିର୍ଦ୍ଦେଶ: ଲୁଧିଆନା ଅଦାଲତ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନଦାୟିତ୍ୱରେ ଥିବା ଅଧିକାରୀଙ୍କୁ ଅଭିନେତା ସୋନୁଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଆଦେଶ ଅନୁଯାୟୀ ସେନୁ ସୁଦଙ୍କ ବାସଭବନ ସଂଖ୍ୟା ୬୦୫/୬୦୬ କୈସାବ୍ଲାଙ୍କା ଆପାର୍ଟମେଣ୍ଟ ଠିକଣାରେ ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଛି । ଯଦି ସେ ଅଦାଲତରେ ଉପସ୍ଥିତ ହେବାକୁ ବିଫଳ ହୁଅନ୍ତି ତେବେ ତାଙ୍କୁ ଗିରଫ କରିବା ସହ ଅଦାଲରେ ପ୍ରସ୍ତୁତ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି ୱାରେଣ୍ଟକୁ ୧୦-୦୨-୨୫ରେ କିମ୍ବା ତା’ ପୂର୍ବରୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଅଦାଲତରେ ଏକ ପ୍ରମାଣପତ୍ର ମଧ୍ୟ ଦାଖଲ କରାଯିବ ଯେଉଁଥିରେ ଉଲ୍ଲେକ ରହିବ କି ଏହା କେଉଁ ଦିନ ଓ କିପରି କାର୍ଯ୍ୟକାରୀ ହୋଇଥିଲା ।