ଘରୋଇ ହିଂସାରେ ସ୍ତ୍ରୀଙ୍କୁ ରକ୍ଷା କରିବାକୁ ଆଗେଇ ନ ଆସିବା ଅପରାଧ ନୁହେଁ: ସୁପ୍ରିମକୋର୍ଟ
ଘରୋଇ ହିଂଂସାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ । କହିଲେ ଘରୋଇ ମାମଲାରେ ସମ୍ପର୍କୀୟଙ୍କ ନାମ ଯୋଡିବା ଅନୁଚିତ ।
ନୂଆଦିଲ୍ଲୀ: ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବିବାଦରେ ସ୍ୱାମୀଙ୍କ ସମ୍ପର୍କୀୟମାନଙ୍କୁ ମଧ୍ୟ ଅନାବଶ୍ୟକ ଭାବରେ ପକ୍ଷଭୁକ୍ତ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଯଦି ଜଣେ ସମ୍ପର୍କୀୟ ଘରୋଇ ହିଂସା ମାମଲାରେ ହସ୍ତକ୍ଷେପ କରନ୍ତି ନାହିଁ, ତେବେ ଏହା ତାଙ୍କୁ ଫୌଜଦାରୀ ମାମଲାରେ ଅଭିଯୁକ୍ତ କରିବାର ଆଧାର ହୋଇପାରିବ ନାହିଁ ବୋଲି କୁହାଯାଇଛି ।
ତେଲେଙ୍ଗାନାର ଏକ ମାମଲାରେ ସ୍ୱାମୀଙ୍କ ମାଉସୀ ଏବଂ ତାଙ୍କ ଝିଅକୁ ଆଶ୍ୱସ୍ତି ଦେବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସମ୍ପୂର୍ଣ୍ଣ ମାମଲାରେ ସେମାନଙ୍କର କୌଣସି ଦୋଷ ନାହିଁ । ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ବିଭି ନାଗାରଥନା ଏବଂ ଜଷ୍ଟିସ୍ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ କହିଛନ୍ତି, ‘ପରିବାରିକ ମାମଲାରେ ଅଭିଯୋଗରେ ସମସ୍ତଙ୍କ ନାମ ସାମିଲ କରିବାର ପ୍ରବୃତ୍ତି ଭୁଲ।’ ଯଦି କେହି ହଇରାଣ ସମୟରେ ଅଭିଯୋଗକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରନ୍ତି ନାହିଁ, ତେବେ ଏହି ଆଧାରରେ ତାଙ୍କ ନାମ ମାମଲାରେ ଯୋଡିବା ଠିକ୍ ନୁହେଁ ।
କଣ ରହିଥିଲା ମାମଲା- ପୂର୍ବରୁ, ଭୁବନଗିରି ଜିଲ୍ଲାର ଏହି ମାମଲାରେ, ତେଲେଙ୍ଗାନା ହାଇକୋର୍ଟ ଅଭିଯୁକ୍ତ ତାଲିକାରୁ ସ୍ୱାମୀଙ୍କ ମାଉସୀ ଏବଂ ସମ୍ପର୍କୀୟ ଭଉଣୀଙ୍କ ନାମ ବାଦ ଦେବାକୁ ମନା କରିଦେଇଥିଲେ । ଯୌତୁକ ନିର୍ଯାତନା (IPC 498A) ଏବଂ ଧମକ (IPC 506) ପାଇଁ ଉଭୟଙ୍କୁ ମାମଲା ରୁଜୁ କରିବାକୁ କୁହାଯାଇଥିଲା । କିନ୍ତୁ ଆଜି ସୁପ୍ରିମକୋର୍ଟ ସେମାନଙ୍କୁ ଆଶ୍ୱସ୍ତି ଦେଇଛନ୍ତି ।
ଦୁଇ ଜଣିଆ ଖଣ୍ଡପୀଠ ପକ୍ଷରୁ ଏହି ନିର୍ଦ୍ଦେଶ ଦେବା ସମୟରେ ଜଷ୍ଟିସ୍ ଏନ କୋଟିଶ୍ୱର ସିଂହ ଏହା ମଧ୍ୟ କହିଛନ୍ତି ଯେ ଘରୋଇ ହିଂସା ମାମଲାଗୁଡ଼ିକୁ ସମ୍ବେଦନଶୀଳତାର ସହିତ ଦେଖିବା ଉଚିତ । କୋର୍ଟଗୁଡ଼ିକ ଏହା ମଧ୍ୟ ମନେ ରଖିବା ଉଚିତ ଯେ ପ୍ରାୟତଃ ଅଭିଯୋଗକାରୀଙ୍କ ପକ୍ଷରେ ତାଙ୍କ ଅଭିଯୋଗକୁ ପ୍ରମାଣିତ କରିବା ସମ୍ଭବ ହୁଏ ନାହିଁ । ତଥାପି, କୌଣସି ସ୍ପଷ୍ଟ ଭୂମିକା ବିନା ସମସ୍ତଙ୍କୁ ଅଭିଯୁକ୍ତ କରିବା ଠିକ୍ ନୁହେଁ ।