ସମ୍ପତ୍ତି ଭାଗବଣ୍ଟା କଲାନି ଅଜା, ଛୁରୀ ଭୁସି ଭୁସି ମାରିଦେଲା ନାତି
ସମ୍ପତ୍ତି ଲୋଭରେ ହତ୍ୟା। ଅଜା ରାଜି ନ ହେବାରୁ ୭୩ରୁ ଅଧିକ ଥର ଛୁରୀ ଭୁସି ମାରିଦେଲା ନାତି। ଅଟକାଇବାକୁ ଯାଇ ଲହୁ ଲୁହାଣ ହେଲା ମାଆ।
ହାଇଦ୍ରାବାଦ: ସମ୍ପତ୍ତି ଲୋଭରେ ଅଜାକୁ ହାଣିଲା ନାତି। ଅଧା ରାତିରେ ରୁମରେ ପଶି ୭0ରୁ ଅଧିକ ଥର ଛୁରୀ ଭୁସିଲା। ଆଉ ନିଜ ମାକୁ ମଧ୍ୟ ଲହୁ ଲୁହାଣ କଲା। ଶେଷରେ ଆଖି ବୁଜି ଦେଲେ ୮୬ ବର୍ଷୀୟ ଅଜା। ଆଉ ହସ୍ପିଟାଲରେ ମରଣ ସହ ଲଢୁଛି ମାଆ।
ହଁ ସମ୍ପତ୍ତି ଲୋଭ ଏତେ ପାଗଳ କରିଦେଲା ଯେ, ଶେଷରେ ନିଜ ସମ୍ପର୍କୀୟଙ୍କୁ ହତ୍ୟା କରିବାକୁ ପଛ ଘୁଞ୍ଚା ଦେଲାନି ୨୯ ବର୍ଷୀୟ ଆମେରିକା ଫେରନ୍ତା ନାତି। ବାରମ୍ୱାର ଅଜା ସହ ନାତିର ଝଗଡ଼ା ଲାଗି ରହୁଥିବା ବେଳେ, ଶେଷରେ ସବୁ ସମସ୍ୟାକୁ ଦୂର କରିବାକୁ ଯାଇ ଚରମ ନିଷ୍ପତ୍ତି ନେଲା ନାତି।
କିପରି କଲା ହତ୍ୟା: ଏପରି ଏକ ଅଭାବନୀୟ ଘଟଣା ଘଟିଛି ହାଇଦ୍ରାବାଦ ସହରରେ। ରବିବାର ଦିନ ଅଧରାତିରେ ନାତି ଏହି କାଣ୍ଡ ଭିଆଇଥିବା କୁହାଯାଉଛି। ସମ୍ପତ୍ତି ଭାଗବଣ୍ଟାକୁ ନେଇ ଅଜା ନାତି ଭିତରେ କଳହ ଲାଗିବାରୁ ରାଗି ଯାଇଥିଲା ନାତି। ଆଉ ଅଜାକୁ ମନ ଇଚ୍ଛା ଛୁରୀ ଭୁସି ଚାଲିଥିଲା।
ପାଖରେ ଛିଡା ହୋଇଥିବା ନାତିର ମାଆ ମଧ୍ୟ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଓଲଟା ପୁଅ ଆକ୍ରମଣର ଶିକାର ହେଲେ। ଆଉ ପରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। କିନ୍ତୁ ଘଟଣା ସ୍ଥଳରେ ହିଁ ଅଜାଙ୍କର ଜୀବନ ଦୀପ ଲିଭି ଯାଇଛି।
ଶିଳ୍ପପତି ଅଜା: ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ୮୬ ବର୍ଷୀୟ ବୃଦ୍ଧା ଜଣଙ୍କ ହେଉଛନ୍ତି ହାଇଦ୍ରାବାଦର ଶିଳ୍ପପତି ଭେଲାମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓ। ତାଙ୍କର ଦୁଇଟି ଝିଅ। ବଡ ଝିଅର ପୁଅକୁ ସେ ନିଜ କମ୍ପାନୀର ସିଓ କରିଥିଲେ। ହେଲେ ସାନ ଝିଅର ପୁଅକୁ ମାତ୍ର କିଛି ପ୍ରତିଶତ ସେୟାର ଦେଇଥିଲେ।
ଯାହାକୁ ନେଇ ରାଗି ଯାଇଥିଲେ ନାତି କିଲାରୁ କିର୍ତ୍ତୀ ତେଜା। ନିଜ ମାଙ୍କୁ ସାଙ୍ଗରେ ନେଇ ଅଜାଙ୍କ ଘରକୁ ଯାଇଥିଲେ। ଆଉ ସେଠାରେ ଅଜା ନାତି ଭିତରେ ପ୍ରବଳ ଯୁକ୍ତି ତର୍କ ହୋଇଥିଲା। ଶେଷରେ ରାଗି ଯାଇ ଛୁରୀ ଭୁସି ହତ୍ୟା କଲେ ନାତି କିର୍ତ୍ତୀ। ଆଉ ଅଟକାଇବାକୁ ଯାଇ ଲହୁ ଲୁହାଣ ହେଲେ ମାଆ।
ନାତି ଗିରଫ: ଘଟଣା ସାମ୍ନାକୁ ଆସିବା ପରେ ହତ୍ୟା ଅଭିଯୋଗରେ ଏବେ ତେଜାଙ୍କୁ ଗିରଫ କରାଯାଇଛି। ପୋଲିସ ଆଧିକ ତଦନ୍ତ ଚଳାଇଛି। ସେପଟେ ଅଭିଯୁକ୍ତ ନାତି ଅଭିଯୋଗ କରିଛି କି ଛୋଟ ବେଳୁ ଅଜା ତାଙ୍କ ସହ ଭଲ ବ୍ୟବହାର କରନ୍ତି ନାହିଁ। ଆଉ ଏବେ ସମ୍ପତ୍ତି ଭାଗ କରିବାକୁ ବି ମନା କଲେ। ଯାହା ପାଇଁ ଏପରି କାଣ୍ଡ ଘଟିଲା।