Hug Day 2025: ପ୍ରତିଦିନ କରନ୍ତୁ ହଗ୍, ଉପକାରିତା ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସମ୍ପର୍କରେ ପ୍ରେମ ବୃଦ୍ଧି କରିବା ପାଇଁ କେବଳ ଆଲିଙ୍ଗନ ଆବଶ୍ୟକ ନୁହେଁ । ବରଂ ଶରୀର ମଧ୍ୟ ସୁସ୍ଥ ରହେ ।

ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ ସପ୍ତାହର ଷଷ୍ଠ ଦିନକୁ ହଗ୍ ଡେ ଭାବେ ପାଳନ କରାଯାଏ । କୁହାଯାଏ ପ୍ରେମରେ ଆଲିଙ୍ଗନ ଦ୍ବାରା ମଜଭୁତ ହୋଇଥାଏ ସମ୍ପର୍କ । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ହଗ୍ କରିବା ଦ୍ବାରା ଅନେକ ସ୍ବାସ୍ଥ୍ୟ ଉପକାର ମଧ୍ୟ ମିଳିଥାଏ ।

ଆଲିଙ୍ଗନ କେବଳ ଆମର ଭାବନାକୁ ପ୍ରଭାବିତ କରେ ନାହିଁ, ବରଂ ଏହା ଆମର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇଥାଏ । ପ୍ରକୃତରେ, ଆଲିଙ୍ଗନ ସମୟରେ ଶରୀରରେ କିଛି ରାସାୟନିକ ପରିବର୍ତ୍ତନ ଯୋଗୁଁ ଏହା ଘଟେ, ଯାହା ଆମକୁ ଶାନ୍ତି ଏବଂ ଆରାମ ଅନୁଭବ କରାଏ । ଯଦି ଆପଣ ପ୍ରତିଦିନ ଆପଣଙ୍କ ପ୍ରିୟଜନଙ୍କୁ ୧୦ ରୁ ୨୦ ସେକେଣ୍ଡ ପାଇଁ ଆଲିଙ୍ଗନ କରନ୍ତି, ତେବେ ଅନେକ ଲାଭ ପାଇପାରିବେ ।

ଅକ୍ସିଟୋସିନ୍ ସ୍ତର ବୃଦ୍ଧି- ଆଲିଙ୍ଗନ କରିବା ଦ୍ୱାରା ଶରୀରରେ ଅକ୍ସିଟୋସିନ୍ ନାମକ ହରମୋନର ସ୍ତର ବୃଦ୍ଧି ପାଏ । ଏହାକୁ ଲଭ୍ ହରମୋନ ମଧ୍ୟ କୁହାଯାଏ । ଏହି ହରମୋନ ଆମକୁ ପ୍ରେମ ଅନୁଭବ କରାଏ। କେବଳ ଏତିକି ନୁହେଁ, ଉଚ୍ଚ ସ୍ତରର ଅକ୍ସିଟୋସିନ୍ ଚିନ୍ତା, ଚାପ ଏବଂ ଅବସାଦ ହ୍ରାସ କରିବାରେ ସାହାଯ୍ୟ କରେ ।

ଷ୍ଟ୍ରେସ ହରମୋନକୁ ହ୍ରାସ କରେ- ଆଲିଙ୍ଗନ ଦ୍ବାରା ଶରୀରରେ କର୍ଟିସୋଲ ନାମକ ଚାପ ହରମୋନର ସ୍ତରକୁ ହ୍ରାସ କରେ । କର୍ଟିସୋଲର ଉଚ୍ଚ ସ୍ତର ଚାପ ଏବଂ ଚିନ୍ତାକୁ ବୃଦ୍ଧି କରେ । କିନ୍ତୁ ଆଲିଙ୍ଗନ ଏହି ହରମୋନକୁ ସନ୍ତୁଳିତ କରେ, ମାନସିକ ଶାନ୍ତି ପ୍ରଦାନ କରେ ।

ଉଚ୍ଚ ରକ୍ତଚାପ ହ୍ରାସ ହୁଏ- ଏକ ଅଧ୍ୟୟନ ଅନୁଯାୟୀ, ଆଲିଙ୍ଗନ କରିବା ଦ୍ୱାରା ରକ୍ତଚାପ ମଧ୍ୟ କମିଥାଏ । ଯେତେବେଳେ ଆମେ ଆଲିଙ୍ଗନ କରୁ, ହୃଦସ୍ପନ୍ଦନ ଧୀର ହୋଇଯାଏ ଏବଂ ରକ୍ତଚାପ ସ୍ୱାଭାବିକ ରହିଥାଏ । ଏହା ଚାପ ହ୍ରାସ କରେ ଏବଂ ଶରୀରକୁ ଶାନ୍ତି ଦିଏ ।