ଦିବାଆଲୋକରେ ଅପହରଣ, ମାଆ ଆଖିକୁ ଲଙ୍କାଗୁଣ୍ଡ ଛାଟି ପୁଅକୁ ଛଡ଼ାଇନେଲେ ଦୁର୍ବୃତ୍ତ
ପୁଣି ଏକ କୋହଭରା ଘଟଣା ସାମ୍ନାକୁ ଆସିଛି। ମାଆ ଆଖିକୁ ଲଙ୍କାଗୁଣ୍ଡ ଫୋପାଡି କୋଳରୁ ପୁଅକୁ ଛଡ଼ାଇ ନେଇଛନ୍ତି ଦୁର୍ବୃତ୍ତ। ଆଖିରେ କଷ୍ଟ ସତ୍ତ୍ୱେ ଅପହରଣକାରୀଙ୍କ ପଛରେ ଦୌଡ଼ି ଦୌଡ଼ି ନିରାଶ ମାଆ। ସିସିଟିଭିରେ କଏଦ ଘଟଣା।
ମଧ୍ୟପ୍ରଦେଶ: ଦିବାଆଲୋକରେ ଅପହରଣ। ମାଆ ଆଖିକୁ ଲଙ୍କାଗୁଣ୍ଡ ଛାଟି ପୁଅକୁ କୋଳରୁ ଛଡ଼ାଇ ନେଲେ ଦୁର୍ବୃତ୍ତ। ସେପଟେ ଆଖିରେ କଷ୍ଟ ହେଉଥିଲେ ବି ଅପହରଣକାରୀଙ୍କ ବାଇକ୍ ପଛରେ ଗୋଡ଼େଇ ଗୋଡ଼େଇ ଗଲା ମାଆ।
ହେଲେ ଶେଷରେ ନିରାଶ ହୋଇ ତଳେ ପଡିଗଲା। ଆଉ ୬ ବର୍ଷ କୁନି ପୁଅକୁ ମାଆ କୋଳରୁ ଅପହରଣ କରିବାରେ ସଫଳ ହୋଇଗଲେ ଅପରାଧୀ। ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। କିନ୍ତୁ ଏଯାଏଁ ନାବାଳକର ପତ୍ତା ମିଳିନି।
ମାଆ କୋଳରୁ ଅପହରଣ: ସବୁଦିନ ପରି ଆଜି ବି ସକାଳୁ ସକାଳୁ ପୁଅକୁ ସ୍କୁଲ ବସ ପାଖରେ ଛାଡ଼ିବାକୁ ଘରୁ ବାହାରିଥିଲେ ବ୍ୟବସାୟୀ ରାହୁଲ ଗୁପ୍ତାଙ୍କ ସ୍ତ୍ରୀ। ହେଲେ ରାସ୍ତାରେ ହଠାତ୍ ଏକ ନାଲି ରଙ୍ଗର ପଲ୍ସର ବାଇକରେ ଦୁଇଜଣ ବ୍ୟକ୍ତି ଆସିଲେ।
ଆଉ କେହି କିଛି ବୁଝିବା ଆଗରୁ ମହିଳାଙ୍କ ଆଖିକୁ ଲଙ୍କାଗୁଣ୍ଡ ଛାଟିଦେଲେ। ଆଉ ଯେତେବେଳେ ସେ ଆଖିରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ସେତେବେଳେ ମାଆର କୋଳରୁ ୬ବର୍ଷର ଛୋଟ ପୁଅକୁ ଅପହରଣ କରିନେଲେ ସେହି ଦୁଇ ଦୁର୍ବୃତ୍ତ।
ପିଲାର ସନ୍ଧାନ: ତେବେ ଏହି ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିୟରର ଗୁରୁଗ୍ରାମର ସୁରାରସ୍ଥିତ ସିପି କଲୋନିରେ। ଯଦିଓ ଏହି ଦୁର୍ବୃତ୍ତଙ୍କୁ ସେଠାକାର ଲୋକ କେହି ଜାଣିନାହାନ୍ତି। ହେଲେ ମାଆ ଜଣଙ୍କ ଆଖିରେ କଷ୍ଟ ପାଇଥିବା ସତ୍ତ୍ୱେ ନିଜ ପିଲାକୁ ବଞ୍ଚାଇବା ପାଇଁ, ବାଇକ୍ ପଛେ ପଛେ ଦୌଡିଥିଲେ।
ହେଲେ ଅପହରଣକାରୀମାନେ ସେଠାରେ ଖସିଯିବାରେ ସଫଳ ହେଲେ। ଆଉ ମହିଳାଜଣଙ୍କ ତଳେ ପଡିଯାଇ ସାହାର୍ଯ୍ୟ ପାଇଁ ଚିତ୍କାର କରୁଥିଲେ। ଏହି ଘଟଣା ସିସିଟିଭିରେ କଏଦ ହୋଇଯାଇଥିଲା।
ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲା। ଏବଂ ସହରରୁ ବାହାରକୁ ଯିବା ପାଇଁ ସମସ୍ତ ରାସ୍ତା ବନ୍ଦ କରିଦେଇଥିଲା। ହେଲେ ଏବେଯାଏଁ ପିଲାର ସନ୍ଧାନ ମିଳିପାରିନଥିବା ସୂଚନା ମିଳିଛି।